FeaturedLatestNews

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଆସିଲା ବାତ୍ୟାର ସମ୍ଭାବ୍ୟ ଗତିପଥ

ଭୁବନେଶ୍ବର(ସଂକେତ ଟିଭି) : ଆସନ୍ତା ୨୫ ତାରିଖ (ଶନିବାର) ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ୨୬ ତାରିଖ ସନ୍ଧ୍ୟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେଇପାରେ । ଭୀଷଣ ବାତ୍ୟା ଭାବେ ଏହା ବାଂଲଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୋସିଆଲ ମିଡିଆ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି ।

ତେବେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ରହିବନି ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଡିଜି ଜଣାଇଥିଲେ । ଏହା ସହିତ ସାମ୍ଭାବ୍ୟ ବାତ୍ୟାର ଗତିପଥ ଆସିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୫ ତାରିଖ ସକାଳେ ବଙ୍ଗୋପସାଗରେ ବାତ୍ୟା ସମ୍ଭାବନା ରହିଛି । ଏହି ଦିନ ଦେଶରେ ଷଷ୍ଠ ପର୍ଯ୍ୟାୟ ଏବଂ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଆସନ୍ତାକାଲି (ଶୁକ୍ରବାର) ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ ।

ଏହା ନିଜର ଗତିପଥ ବଜାୟ ରଖିବା ସହ ଅଧିକ ଘନୀଭୂତ ହୋଇ ୨୫ ତାରିଖ ସକାଳେ ବାତ୍ୟା ଏବଂ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବାର ପୂର୍ବାନୁମାନ କରାଯାଉଛି । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।