CulturalFeaturedLatest

ଏଥର ବିନା କଟକଣାରେ ହେବ ପୁରୀ ରଥଯାତ୍ରା

ପୁରୀ : (ସଂକେତ ଟିଭି) କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ବିନା ଭକ୍ତରେ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କ ମେଳରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବ କି ନାହିଁ ତାକୁ ନେଇ ଜୋର୍‌ଦାର ତର୍ଜମା ଆରମ୍ଭ ହୋଇଛି । କୋଭିଡ୍ ସ୍ଥିତି ସ୍ୱାଭାବିକ ହେବା ପରେ ଚଳିତ ବର୍ଷ କଟକଣାମୁକ୍ତ ରଥଯାତ୍ରା ପାଇଁ ମାନସ ମନ୍ଥନ ଚାଲିଛି ।

ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ୨ ବର୍ଷ ପରେ ସମ୍ପୂର୍ଣ୍ଣ କଟକଣାମୁକ୍ତ ରଥଯାତ୍ରା କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଚାର କରାଯାଉଛି । ମୁଖ୍ୟତଃ ୨ଟି ମୁଦ୍ଦା ଉପରେ ଆଲୋଚନା ଚାଲୁ ରହିଛି । ପ୍ରଥମଟି ହେଉଛି ଯଦି, ପରିସ୍ଥିତି ସ୍ୱାଭାବିକ ହୁଏ, ଭକ୍ତ ଆସିବେ- ତା’ହେଲେ କ’ଣ କରିବାକୁ ପଡ଼ିବ । ଦ୍ୱିତୀୟଟି ହେଉଛି ଯଦି ସଂକ୍ରମଣ ବଢ଼େ ତେବେ କିଭଳି ଏହାର ଆୟୋଜନ କରାଯିବ । ଯଦି ଏଥର କଟକଣାମୁକ୍ତ ରଥଯାତ୍ରା ହୁଏ ତେବେ ପ୍ରବଳ ଗହଳି ହୋଇପାରେ ।

ଗୁରୁବାର ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ଏନେଇ ଘମାଘୋଟ ଆଲୋଚନା ହୋଇଛି । କରୋନା ଯୋଗୁଁ ଗତ ୨ ବର୍ଷ ହେବ ରଥଯାତ୍ରାରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରାଯାଇନଥିଲା । ତେଣୁ ଆକଳନ କରାଯାଉଛି ଏଥର ରଥଯାତ୍ରାରେ ନବକଳେବର ଭଳି ଭକ୍ତଙ୍କ ଗହଳି ହୋଇପାରେ ।

ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ବିଗତ ବର୍ଷମାନଙ୍କ ଅପେକ୍ଷା ପ୍ରାୟ ଦେଢ଼ରୁ ୨ ଗୁଣା ଅଧିକ ଭକ୍ତ ଏବର୍ଷ ରଥଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ର ଆସିପାରନ୍ତି । ପାଖାପାଖି ୧୨ରୁ ୧୫ ଲକ୍ଷ ଭକ୍ତ ଘୋଷଯାତ୍ରାରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେଣୁ ଏତେ ସଂଖ୍ୟକ ଭକ୍ତଙ୍କ ଗହଳିକୁ ନେଇ ଏବେଠୁଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛି ଜିଲ୍ଲା ପ୍ରଶାସନ । ରଥଯାତ୍ରା ସମୟରେ କେବଳ ୨ଟି ଡୋଜ୍ ଟିକା ଓ ବୁଷ୍ଟର ଡୋଜ୍ ନେଇଥିବା ଲୋକେ ପୁରୀ ଆସିବାକୁ ଆହ୍ୱାନ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ ।

ଅନ୍ୟପକ୍ଷରେ ଚଳିତ ବର୍ଷର ରଥଯାତ୍ରା କଟକଣାମୁକ୍ତ ହେଲେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିାରେ । ତେଣୁ ଏହା ପୂର୍ବରୁ ୟୁନେସ୍କୋକୁ ଅବଗତ କରାଯିବ ବୋଲି ପରିଚାଳନା କମିଟିର ଜଣେ ସଦସ୍ୟ ସୂଚନା ଦେଇଛନ୍ତି । ଯଦି ସୂଚାରୁରୂପେ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପନ୍ନ ହୁଏ ତା’ହେଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିପାରେ ବୋଲି ଏହି ସଦସ୍ୟ ଜଣକ ମତ ଦେଇଛନ୍ତି ।