CulturalFeaturedLatest

ବାହାଘର ପୂର୍ବରୁ କଟିଗଲା ବର ଗୋଡ଼, ଆପଣାଇ ନେଲେ କନ୍ୟା

ବାଲେଶ୍ବର (ସଂକେତ୍ ଟିଭି) : ବାହାଘର ପୂର୍ବରୁ ଘଟିଲା ଅଘଟଣ। ଦୁର୍ଘଟଣାରେ କଟିଗଲା ପୁଅର ଦୁଇ ଗୋଡ଼ । ଏମିତି ସ୍ଥିତିରେ ଆଉ କେହି ହୋଇଥିଲେ ହୁଏତ ତାଙ୍କୁ ବାହା ହେବାକୁ ରାଜି ହୋଇନଥା’ନ୍ତେ। କିନ୍ତୁ ଯାହାଙ୍କ ସହିତ ତାଙ୍କର ବାହାଘର ଠିକ୍‌ ହୋଇଥିଲା, ସେ ମୁହଁ ଫେରାଇ ନେଇ ନଥିଲେ । ସେମାନଙ୍କର ବାହାଘର ହୋଇଥିଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସହରରେ ।

ସହରର ଗୋପାଳଗାଁର ନିକି ପଣ୍ଡାଙ୍କ ବାହାଘର ୨୦୧୯ ମସିହାରେ ଢେଙ୍କାନାଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଡାକ୍ତର ଦେବବ୍ରତ ଷଡ଼ଙ୍ଗୀଙ୍କ ସହିତ ଠିକ୍‌ ହୋଇଥିଲା । ବାହାଘର ପୂର୍ବରୁ ଏକ ଦୁର୍ଘଟଣାରେ ଡାକ୍ତର ଷଡ଼ଙ୍ଗୀଙ୍କର ଦୁଇ ଗୋଡ଼ କଟି ଗଲା । ଏଣୁ ନିକିଙ୍କ ପରିବାର ଲୋକେ ବାହାଘର ଭାଙ୍ଗି ଦେବାକୁ ବସିଥିଲେ । ପରେ କରୋନା ଆସି ଦୁଇବର୍ଷ ବିତିଗଲା। କିନ୍ତୁ ନିକି ଓ ଦେବବ୍ରତଙ୍କ ସମ୍ପର୍କ ଅତୁଟ ଥିଲା। ନିକି ଡାକ୍ତର ଷଡ଼ଙ୍ଗୀଙ୍କୁ ବାହା ହେବାକୁ ଜିଦ୍‌ ଧରିଥିଲେ । ପରିବାରର ପ୍ରବଳ ଚାପ ସତ୍ବେ ନିକି ନିଜ ନିଷ୍ପତ୍ତିରେ ଦୃଢ଼ ରହିଥିଲେ । ତାଙ୍କର ଏ ନିଷ୍ପତ୍ତି ପଛରେ ମାନବିକତା ମୁଖ୍ୟ ଭୂମିକା ର୍ନିବାହ କରିଥିଲା ବୋଲି ଆଲୋଚନା ହେଉଛି ।

ନିକିଙ୍କ ଜିଦ୍‌ ଆଗରେ ତାଙ୍କ ବାପାମା’ ହାର ମାନିଥିଲେ ଓ ଡାକ୍ତର ଷଡ଼ଙ୍ଗୀଙ୍କ ସହିତ ଧୂମ୍‌ଧାମ୍‌ରେ ତାଙ୍କ ବାହାଘର ବୁଧବାର ଗୋପାଳଗାଁସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ସଂପନ୍ନ ହୋଇଛି । ଏହି ବାହାଘରରେ ଅନ୍ୟମାନଙ୍କ ସହିତ ସ୍ଥାନୀୟ ବିଧାୟକ ବି ସାମିଲ ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ । ନିକିଙ୍କ ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ ।