FeaturedGeneralLatestPolitics

କେଜ୍ରିଓ୍ବାଲଙ୍କ ଭଳି ମୋତେ ବି ନିର୍ବାଚନ ପ୍ରଚାର ପାଇଁ ଜାମିନ ଦିଅ: ହେମନ୍ତ ସୋରେନ

ନୂଆଦିଲ୍ଲୀ (ସଂକେତ ଟିଭି) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଯେପରି ଅନ୍ତରୀଣ ଜାମିନ ଦିଆଯାଇଛି ସେପରି ଜାମିନ ଦେବାକୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସେ ନିଜ ଓକିଲ କପିଲ ସିବଲଙ୍କ ମାଧ୍ୟମରେ ଆବେଦନ କରିଛନ୍ତି । ସେପଟେ କୋର୍ଟ ଏହି ଆବେଦନକୁ ତୁରନ୍ତ ଶୁଣାଣି ପାଇଁ ମନା କରିଛନ୍ତି ।

ସୁପ୍ରିମକୋର୍ଟ ମେ ୨୦ ସୁଦ୍ଧା ଇଡିକୁ ଜବାବ ମାଗିଛନ୍ତି ଏବଂ ଏହି ମାମଲାକୁ ମେ ୨୧ ରେ ଅବକାଶକାଳୀନ ଖଣ୍ଡପୀଠରେ ତାଲିକାଭୁକ୍ତ କରିଛନ୍ତି।

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମାଗିଛନ୍ତି । ସୋରେନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତାଙ୍କୁ ଅନ୍ତରୀଣ ଜାମିନ ମିଳିଲେ ସେ ଜୁନ ୧ ଶେଷ ପର୍ଯ୍ୟାୟ ଭୋଟ ପର ଦିନ ଅର୍ଥାତ ଜୁନ୍ ୨ ରେ ଆତ୍ମସମର୍ପଣ କରିବେ।

ଏହାର ଜବାବରେ ଜଷ୍ଟିସ୍ ଖାନ୍ନା କହିଛନ୍ତି ଯେ, ଖଣ୍ଡପୀଠ ପ୍ରାଥମିକ ଦୃଷ୍ଟିରୁ ସନ୍ତୁଷ୍ଟ ନ ହେଲେ କୌଣସି ଆଦେଶ ଦିଆଯାଇପାରିବ ନାହିଁ। ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ ଇଡି କହୁଛି ଯେ ଜମି ବିକ୍ରି କରିବାର ଫାଇଲ୍ ନୋଟିଂ ଅଛି, ଯେଉଁଥିରେ ଦର୍ଶାଯାଇଛି ଯେ ମୁଖ୍ୟମନ୍ତ୍ରୀ ଆଗ୍ରହୀ ଥିଲେ।