FeaturedLatestNewsPolitics

ବିଜେପିରେ ଥାଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶିର୍ବାଦ ଭିକ୍ଷା କଲେ ଅନୁଭବ ମହାନ୍ତି

ଭୁବନେଶ୍ୱର (ସଂକେତ ଟିଭି) : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କର ଫେସବୁକରେ ଏକ ପୋଷ୍ଟ ଏବେ ରାଜ୍ୟ ରାଜନୀତିର ଆଲୋଚନାକୁ ଆହୁରି ଆକ୍ଟିଭ କରି ଦେଇଛି । ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ଅନୁଭବ ଏହି ପୋଷ୍ଟରେ ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ଲୋଡ଼ଇଛନ୍ତି । ତେଣୁ ଏହି ପୋଷ୍ଟକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ଏବଂ ଅନେକ ଲୋକ ପ୍ରଶ୍ନବାଚୀ ଉଠାଇଛନ୍ତି ।

ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏହାପରେ ବିଜେପି ତାଙ୍କୁ ଷ୍ଟାର ପ୍ରଚାରକ ଭାବରେ ଗୁରୁଦାୟିତ୍ୱ ମଧ୍ୟ ଦେଇଛି । କିନ୍ତୁ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ରାଜନୀତି ମାହୋଲରେ ପୁଣିଥରେ ଚହଳ ସୃଷ୍ଟି ହୋଇଛି । ବିଜେପିରେ ମିଶିବା ପରେ ମଧ୍ୟ ଏହି ପୋଷ୍ଟରେ ଅନୁଭବ ବିଜେଡିର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି । ଏହାସହିତ ବିଜେପି ସରକାର ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଅନୁଭବ ମହାନ୍ତି ।

ଅନୁଭବ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ‘ଆମେ ଏକ ହୋଇ ନିଜ ମାତୃଭୂମିର ଅନନ୍ୟ ଗୌରବକୁ ଅନୁପ୍ରବେଶକାରୀଙ୍କ ଆଗରେ ନଇଁବାକୁ ଦେବା ନାହିଁ । ଆସନ୍ତୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ତଥା ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ସାରଙ୍କ ଆଶୀର୍ବାଦରୁ ଓଡ଼ିଶାରେ ନରେନ୍ଦ୍ର ମୋଦୀଙ୍କ ସାହସିକ ତଥା ଗତିଶୀଳ ନେତୃତ୍ୱରେ ବିଜେପି ସରକାର ଗଠନ କରି ନୂତନ ଆରମ୍ଭ କରିବା ।’

ତେବେ ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ସହ ଅନୁଭବ କାହିଁକି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ବୋଲି ଏବେ ରାଜନୀତି ଦୁନିଆରେ ପ୍ରଶ୍ନ ଉଠିଛି ।