EducationFeaturedLatest

ଫେସ୍‌ବୁକ୍‌ରେ ୧.୮ କୋଟି ଟଙ୍କାର ଚାକିରି ଅଫର ପାଇଲେ ଅଙ୍ଗନବାଡ଼ୀ କର୍ମୀଙ୍କ ପୁଅ

କୋଲକାତା (ସଂକେତ ଟିଭି) : କୋଲକାତାର ଯାଦବପୁର ୟୁନିଭରସିଟିର ଜଣେ ଛାତ୍ର ଫେସ୍‌ବୁକ୍‌ରେ ବାର୍ଷିକ ପ୍ୟାକେଜ୍‌ ୧.୮ କୋଟି ଟଙ୍କାର ଚାକିରି ଅଫର ପାଇ ଏବେ ଚର୍ଚ୍ଚା ପାଲଟିଛନ୍ତି । ଫେସ୍‌ବୁକ୍ ପୂର୍ବରୁ ତାଙ୍କୁ ଗୁଗୁଲ୍ ଓ ଆମାଜନ୍‌ରୁ ଚାକିରି ଅଫର ମିଳିଥିଲେ ବି ସେ ତାହାକୁ ଗ୍ରହଣ ନକରି ଫେସ୍‌ବୁକ୍‌ରେ ଚାକିରି କରିବାର ନିଷ୍ପତ୍ତି ନେଇଥିଲେ ।

ୟୁନିଭରସିଟିରେ ଚଳିତବର୍ଷ ଯେତେ ଜଣ ଛାତ୍ର ପଢୁଥିଲେ ସମସ୍ତଙ୍କଠାରୁ ଅଧିକ ଦରମାରେ ଚାକିରି ଅଫର ପାଇଛନ୍ତି ଏହି ଯୁବକ । ଏହି ଯୁବକଙ୍କ ନାମ ବିଶାଖ ମୋଣ୍ଡଲ୍ । ତାଙ୍କୁ ଗୁଗୁଲ୍ ଓ ଆମାଜନ୍‌ରୁ ଚାକିରି ଅଫର ମିଳିଥିଲେ ବି ଅଧିକ ଦରମା ହେତୁ ସେ ଫେସ୍‌ବୁକ୍‌କୁ ଚୟନ କରିଥିବା ଜାଣିବାକୁ ମିଳିଛି । ସେ ଆସନ୍ତା ସେପ୍ଟେମ୍ବର ମାସରୁ ବିଧିବଦ୍ଧ ଭାବେ ଫେସ୍‌ବୁକ୍‌ରେ ଜଣେ କର୍ମଚାରୀ ଭାବେ ଯୋଗ ଦେବେ ।

ବିଶାଖ ହେଉଛନ୍ତି ୟୁନିଭରସିଟିର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂର ଚତୁର୍ଥ ବର୍ଷର ଛାତ୍ର । ବିଶାଖ ଲଣ୍ଡନରେ ଚାକିରି କରିବେ । ଆସନ୍ତା ସେପ୍ଟେମ୍ବରରେ ସେ ଲଣ୍ଡନ ଯିବେ ବୋଲି ସ୍ଥିର ହୋଇଛି ।

ସେ ସାକ୍ଷାତ୍‌କାର ଦେଇ କହିଛନ୍ତି, ‘ମଙ୍ଗଳବାର ରାତିରେ ମୋତେ ଏହି ଚାକିରି ଅଫର ମିଳିଛି । ୨ ବର୍ଷ ହେଲା କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ମୁଁ ବିଭିନ୍ନ ସଂସ୍ଥାରେ ଇଣ୍ଟର୍ଣ୍ଣ ଭାବେ କାମ କରିଛି । ତାହାହିଁ ମୋତେ ଇଣ୍ଟରଭିୟୁ ପାସ୍‌ କରିବାକୁ ସାହାଯ୍ୟ କଲା ।’

ତାଙ୍କ ମାଆ ଜଣେ ଅଙ୍ଗନବାଡ଼ୀ କର୍ମୀ ହୋଇଥିବା ବେଳେ ସେ କହିଛନ୍ତି କି, ବିଶାଖ ପିଲାଟି ଦିନରୁ ହିଁ ପାଠ ପଢ଼ାରେ ଖୁବ୍ ଭଲ ।