GeneralLatest

ଇସ୍ରାଏଲ ଉପରେ ପରମାଣୁ ଆକ୍ରମଣ ଧମକ ଦେଲା ଇରାନ୍

ନୂଆଦିଲ୍ଲୀ (ସଂକେତ ଟିଭି): ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ବିବାଦ ତୀକ୍ତ ହେବାରେ ଲାଗିଛି । ପୂର୍ବରୁ ଇସ୍ରାଏଲ ଉପରେ ଡ୍ରୋନ ଆକ୍ରମଣ କରିସାରିଥିବା ଇରାନ ଏବେ ପରମାଣୁ ଆକ୍ରମଣ ଧମକ ଦେଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କର ନିକଟତମ ପରାମର୍ଶଦାତା ଇରାନ ଆଣବିକ ଶକ୍ତି ବ୍ୟବହାର କରିପାରେ ବୋଲି ସୂଚନା ଦେଇଛନ୍ତି । ଇସ୍ରାଏଲ ସହ ସଙ୍କଟ କିମ୍ବା ଆକ୍ରମଣ ପ୍ରତିଆକ୍ରମଣ ବୃଦ୍ଧି ପାଇଲେ ଇରାନ ଆଣବିକ ଶକ୍ତି ବ୍ୟବହାର କରିବାକୁ ପଛାଇବ ନାହିଁ ବୋଲି ସେ ପରୋକ୍ଷରେ ଇଙ୍ଗିତ କରିଛନ୍ତି । ଏହି ଚେତାବନୀ ସେ ଇସ୍ରାଏଲ ଉଦ୍ଦେଶ୍ୟରେ ଦେଇଥିବା ସ୍ପଷ୍ଟ ହୋଇଛି ।

ଇରାନ ରାଷ୍ଟ୍ରମୁଖ୍ୟଙ୍କ ପରାମର୍ଶଦାତା କମଲ ଖରାଜୀ କହିଛନ୍ତି, ଆଣବିକ ବୋମା ନିର୍ମାଣ କରିବାକୁ ଆମର କୌଣସି ଯୋଜନା ନାହିଁ, କିନ୍ତୁ ଇରାନର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟତ ହେଲେ ଆମର ସାମରିକ ନୀତିରେ ପରିବର୍ତ୍ତନ କରିବା ଛଡା ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ବୋଲି ଖର୍ରାଜି କହିଛନ୍ତି।

ଏପ୍ରିଲ ପହିଲାରେ ଇସ୍ରାଏଲ ସିରିୟାରେ ଥିବା ଇରାନୀୟ ଦୂତାବାସ ଉପରେ ଏୟାରଷ୍ଟ୍ରାଇକ କରିଥିଲା । ଏଥିରେ ଇରାନ ରେଭୁଲୁସନେରୀ ଗାର୍ଡର କିଛି ସୈନିକଙ୍କ ସମେତ ଏକାଧିକ କୂଟନୈତିକ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମାସାଧିକ ସମୟ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଏପ୍ରିଲ ଶେଷ ଭାଗରେ ଇରାନ ଇସ୍ରାଏଲ ଅଞ୍ଚଳରେ ଡ୍ରୋନ ଆକ୍ରମଣ ମଧ୍ୟ କରିଥିଲା । ଏଥିରେ ଇସ୍ରାଏଲ ପ୍ରତିଆକ୍ରମଣ କରିବା ନେଇ ଅନୁମାନ କରାଯାଉଥିଲେ ସୁଦ୍ଧା ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ଇସ୍ରାଏଲ ଏକ ଇସ୍ରାଏଲୀ ଜାହାଜକୁ ମଧ୍ୟ ଇରାନ ଫୋର୍ସ ଆରବ ସାଗରରୁ ଅପହରଣ କରିନେଇଥିଲା । ଯେଉଁଥିରେ ଭାରତୀୟ ନାଗରିକ ଥିଲେ । ଆମେରିକା ଓ ଅନ୍ୟ କିଛି ଦେଶଙ୍କ ହସ୍ତକ୍ଷେପ ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ସାମାନ୍ୟ ପ୍ରଶମିତ ହୋଇଥିଲା । ହେଲେ ଆବଶ୍ୟକ ପଡିଲେ ଇରାନ ନିଜର ସୁରକ୍ଷା ଓ ଅସ୍ଥିତ୍ବ ପାଇଁ ଆଣବିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି କହିବା ପରେ ପୁଣି ଥରେ ତିକ୍ତତା ବଢିବାକୁ ଯାଉଛି ।