FeaturedGeneralLatestPolitics

ଲୋକସଭା ନିର୍ବାଚନ ପାଇଁ ୧୦ ଗ୍ୟାରେଣ୍ଟି ଘୋଷଣା କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ(ସଂକେତ ଟିଭି): ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଆପ) ରବିବାର ୧୦ ଗ୍ୟାରେଣ୍ଟି ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ସେ ଯେଉଁ ଗ୍ୟାରେଣ୍ଟି ରଖିଛନ୍ତି ସେଥିରେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମଧ୍ୟ ରହିଛି।

କେଜରିୱାଲ କହିଛନ୍ତି ଯେ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ହେଲେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ। ସେ କହିଛନ୍ତି ଯେ ମୋ ଗିରଫ ଯୋଗୁ ପାର୍ଟିର ନିର୍ବାଚନ ପ୍ରତିଶ୍ରୁତି ମିଳିବାରେ ବିଳମ୍ବ ହୋଇଛି। ହେଲେ ଏବେବି ଆଉ ୪ ପର୍ଯ୍ୟାୟ ନିର୍ବାଚନ ବାକି ଅଛି। କେଜରିୱାଲ କହିଛନ୍ତି ଯେ ମୁଁ ଏହି ଗ୍ୟାରେଣ୍ଟି ନେଉଛି ଇଣ୍ଡିଆ ମେଣ୍ଟ ସରକାର ହେବା ପରେ ଏହି ସବୁ ଗ୍ୟାରେଣ୍ଟି ପୂରଣ କରାଇବି।

ସେ କହିଛନ୍ତି ଏଥର ଆମେ ଗ୍ୟାରେଣ୍ଟିରେ ଦେଶକୁ ୨୪ ଘଣ୍ଟା ଓ ମାଗଣା ବିଦ୍ୟୁତ ଦେବୁ। ଆମେ ଯେପରି ଦିଲ୍ଲୀରେ କରିଛୁ ସେପରି ଦେଶରେ ମଧ୍ୟ କରି ଦେଖାଇବୁ। କେଉଁଠି ହେଲେ ବି ପାୱାର କଟ୍ ହେବ ନାହିଁ। ଦେଶରେ ଗରିବଙ୍କୁ ୨୦୦ ୟୁନିଟ ବିଦ୍ୟୁତ ମାଗଣା ମିଳିବ ଏବା ଆମର ଗ୍ୟାରେଣ୍ଟି। ସେହିପରି କେଜରିୱାଲ ଦେଶକୁ ଶିକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି। କହିଛନ୍ତି ଦିଲ୍ଲୀ ଓ ପଞ୍ଜାବ ଭଳି ସରକାରୀ ସ୍କୁଲଗୁଡିକୁ ଘରୋଇ ସ୍କୁଲଠାରୁ ଅଧିକ ଉନ୍ନତ କରିବୁ। ଯେଉଁଥିରେ ଛାତ୍ରଛାତ୍ରୀଙ୍କ ମାଗଣା ଶିକ୍ଷା ନିଶ୍ଚିତ କରାଯିବ।

ସେହିପରି କେଜରିୱାଲ ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଜନତା ସୁସ୍ଥ ରହିବେ ଦେଶ ଆଗକୁ ବଢିବ। ବୀମା ଆଧାରିତ ସରକାରୀ ଯୋଜନା ଏକ ସ୍କାମ। ଏଣୁ ଏଥି ପାଇଁ ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବୁ। ସେ କହିଛନ୍ତି ଯେ ଚୀନ ଆମ ଜମି ମାଡିବସିଛି। ଏହାକୁ ଲୁଚାଇଲେ ସମସ୍ୟାର ସମାଧାନ ହେବନି। ଦେଶର ଜମିକୁ ଚୀନଠାରୁ ଛଡାଇ ଅଣାଯିବ। ଏଥି ପାଇଁ ସେନାକୁ ରୋକାଯିବନି। ସେନା ନିଯୁକ୍ତିରେ ଆରମ୍ଭ ହୋଇଥିବା ଅଗ୍ନିବୀର ଯୋଜନାକୁ ବନ୍ଦ କରାଯିବ। ସୈନ୍ୟ ନିଯୁକ୍ତି ପୁରୁଣା ପ୍ରକ୍ରିୟାରେ ହେବ। ଏପର୍ଯ୍ୟନ୍ତ ନିଯୁକ୍ତ ହୋଇଥିବା ସମସ୍ତ ଅଗ୍ନିବୀରଙ୍କ ନିଯୁକ୍ତି ସ୍ଥାୟୀ କରାଯିବ। ଦେଶର ଚାଷୀଙ୍କୁ ସ୍ୱାମୀନାଥନ ଆୟୋଗଙ୍କ ସୁପାରିଶ ଅନୁଯାୟୀ ସବୁ ପ୍ରକାର ଫସଲର ଏମଏସପି ନିର୍ଦ୍ଧାରଣ କରାଯାଇ ଫସଲର ପୁରା ଦାମ ଦିଆଯିବ ବୋଲି କହିଛନ୍ତି। ସେହିପରି ବେକାରୀ ଦୂରିକରଣ, ଭ୍ରଷ୍ଟାଚାର ନିବାରଣ ଓ ଜିଏସଟି ଶରଳୀକରଣ ଆଦି ନେଇ ମଧ୍ୟ କେଜରିୱାଲ ପ୍ରତିଶ୍ରୁତି ଦେଇଛନ୍ତି।