FeaturedLatestNewsPolitics

ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବାଲେଶ୍ବର (ସଂକେତ ଟିଭି) : ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ବୁଧବାର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ଏ ନେଇ ସୂଚନା ଦେଇଛନ୍ତି।

ଭିଡିଓ ଜରିଆରେ ସେ କହିଛନ୍ତି, ଆଜି ମୁଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ବିଜେଡି ସହିତ ଆମର ଦୀର୍ଘ ଦିନର ସମ୍ପର୍କ ରହିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମୟରୁ ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀ ୪୦ ବର୍ଷ ଏବଂ ମୁଁ ୧୦ ବର୍ଷହେଲା ଦଳ ସହିତ ଜଡିତ ଅଛି। ଆମକୁ ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ସିମୁଳିଆ ଏବଂ ଖଇରାବାସୀଙ୍କ ପାଇଁ ଆମ ପରିବାର ସର୍ବଦା ଥିବ।

ସିମୁଳିଆ ବିଧାନସଭା ଆସନ ପାଇଁ ବିଜେଡି ଜ୍ୟୋତିପ୍ରକାଶଙ୍କୁ ଟିକେଟ ନଦେଇ ସୁବାସିନୀ ସାହୁଙ୍କୁ ପ୍ରାର୍ଥୀ କରିଛି। ଏହା ପରେ ଜ୍ୟୋତି ଏକପ୍ରକାର ରାଜନୈତିକ କାର୍ଯ୍ୟକ୍ରମରୁ ଦୁରେଇ ରହିଥିଲେ । ସେ ବିଜେଡି ଛାଡିବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି ।