FeaturedGeneralLatestPolitics

ମୋଦୀଙ୍କ ସହ ଖୋଲା ବିତର୍କ ପାଇଁ ମୁଁ ପ୍ରସ୍ତୁତ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ପାଇଁ ଦୁଇ ପୂର୍ବତନ ବିଚାରପତି ତଥା ଜଣେ ବରିଷ୍ଠ ସାମ୍ବାଦିକଙ୍କ ଆହ୍ବାନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗ୍ରହଣ କରିଛନ୍ତି।

ରାହୁଲ ‘ଏକ୍ସ’ରେ ଟ୍ବିଟ କରି କହିଛନ୍ତି, ‘‘ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଗୋଟିଏ ପ୍ଲାଟଫର୍ମରୁ ଦେଶ ସାମ୍ନାରେ ସେମାନଙ୍କର ଦୃଷ୍ଟିକୋଣ ରଖିବା ପାଇଁ ଏହି ବିତର୍କ ଏକ ପ୍ରମୁଖ ପଦକ୍ଷେପ ହେବ । କଂଗ୍ରେସ ଏହି ପଦକ୍ଷେପକୁ ସ୍ୱାଗତ କରୁଛି ଏବଂ ଆଲୋଚନା ପାଇଁ କରାଯାଇଥିବା ନିମନ୍ତ୍ରଣକୁ ଗ୍ରହଣ କରିଛି । ଏହି ବିତର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ଭାଗ ନେବେ ବୋଲି ଦେଶ ଆଶା କରୁଛି ।’’

ପ୍ରତିଷ୍ଠିତ ଜାତୀୟ ସମ୍ବାଦପତ୍ର ‘ଦ ହିନ୍ଦୁ’ର ପୂର୍ବତନ ସମ୍ପାଦକ ଏନ.ରାମ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ଲୋକୁର ଓ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏ.ପି ଶାହ ଏହି ଚିଠି ଲେଖିଥିଲେ । ସେମାନେ ଉଭୟ ପ୍ରଧାନମନ୍ତ୍ରୀ ଓ ରାହୁଲ ଗାନ୍ଧୀଙ୍କୁ ଏକ ସାର୍ବଜୀନନ ସ୍ଥାନରେ ସାଧାରଣ ନିର୍ବାଚନ ପ୍ରସଙ୍ଗରେ ଖୋଲା ବିତର୍କ କରିବାକୁ ଆହ୍ବାନ ଦେଇଥିଲେ । ଏହାକୁ କଂଗ୍ରେସ ସ୍ବାଗତ କରିଛି ।

ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ରାହୁଲ କେଉଁ କ୍ଷମତା ଆଧାରରେ ପ୍ରଧାନମନ୍ତ୍ରୀଙ୍କ ସହ ବିତର୍କ କରିବାକୁ ପ୍ରୟାସ କରୁଛନ୍ତି । ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ପଦରେ ରହିଛନ୍ତି । ମାତ୍ର ରାହୁଲ ଗାନ୍ଧୀଙ୍କୁ ଦଳର ପୋଷ୍ଟରବୟ ଭାବେ ଚିତ୍ରଣ କରାଯାଉଛି । ବିଭିନ୍ନ ପ୍ରସଙ୍ଗରେ ରାହୁଲଙ୍କ ଜ୍ଞାନର ସ୍ତରରୁ ଏହା ଅନୁମାନ କରାଯାଇପାରେ ଯେ ତାଙ୍କ ସହ ବିତର୍କ କେତେ ଯୁକ୍ତିଯୁକ୍ତ ।