FeaturedLatestSports

ବିଶ୍ବକପରେ ଭାରତକୁ ହରାଇବା ସହଜ ହେବନି: ରିକି ପଣ୍ଟିଂ

ନୂଆଦିଲ୍ଲୀ (ସଂକେତ ଟିଭି) ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ରେ ଭାରତୀୟ ଦଳକୁ ପରାଜିତ କରିବା ସହଜ ନୁହେଁ । ଟିମ୍‌ ଇଣ୍ଡିଆ ଏବେ ଜବରଦସ୍ତ ଫର୍ମରେ ରହିଛି । ଯେକୌଣସି ବିରୋଧୀ ଟିମ୍‌କୁ ଚକ୍‌ମା ଦେବାରେ ପୁରା ଟିମ୍‌ ମାହିର । ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏହା କହିଛନ୍ତି ।

ଏକ କାର୍ଯ୍ୟକ୍ରମରେ ଆଇସିସି ସହ ଆଲୋଚନାବେଳେ ପଣ୍ଟିଂ କହିଛନ୍ତି ଯେ ଚଳିତ ବିଶ୍ୱକପ୍‌ କିମ୍ବା ଗତ କିଛି ଦିନ ହେଲା ଟିମ୍‌ ଇଣ୍ଡିଆ ଜବରଦସ୍ତ ଫର୍ମରେ ରହିଛି । କିଛି ଦିନ ତଳେ ଏହି ଟିମ୍‌ର ସନ୍ତୁଳନ ନେଇ ଯେଉଁମାନେ ପ୍ରଶ୍ନ ଉଠାଉଥିଲେ । ସେମାନଙ୍କ ମୁହଁକୁ ଚୁପ୍‌ କରିବାରେ ସଫଳ ହୋଇଛନ୍ତି ରୋହିତ ଆଣ୍ଡ କୋ । ଗତ ଏସିଆ କପ୍‌ରେ ଟିମ୍‌ ଯେଉଁଭଳି ଭାବେ ପ୍ରଦର୍ଶନ କରି ଚମ୍ପିଆନ୍‌ ହୋଇଛି । ତାହା ନିଶ୍ଚିନ୍ତ ଭାବେ ପ୍ରେରଣଦାୟୀ ।

ଘରୋଇ ମାଟିରେ ଚଳିତ ବର୍ଷ ବିଶ୍ୱକପ୍‌ ଖେଳୁଛି ଟିମ୍‌ ଇଣ୍ଡିଆ । ଘରୋଇ ପରିବେଶର ପ୍ରେସରକୁ ଭଲ ଭାବେ ନେଇ ପ୍ରଦର୍ଶନ କରିଚାଲିଛି ରୋହିତ ଆଣ୍ଡ କୋ । ତେବେ ଏହି ଟିମ୍‌ ଗଠନର ମୁଖ୍ୟ ଶ୍ରେୟ ରୋହିତ ଶର୍ମାଙ୍କୁ ଯିବ ଉଚିତ୍ । କାହିଁକି ନା ଏହି ଟିମ୍‌ ଗଠନ ପଛରେ ରୋହିତ ଓ ଦ୍ରାବିଡଙ୍କ ବହୁତ ନିଷ୍ଠା ରହିଛି । ରୋହିତଙ୍କୁ ମୁଁ ମୁମ୍ବାଇ ଇଣ୍ଡିଆନ୍ସରୁ ଦେଖିଛି । ଜଣେ ଅଧିନାୟକ ଭାବେ ତାଙ୍କ ରଣନୀତି ପ୍ରଶଂସା ଯୋଗ୍ୟ । ତେଣୁ ଭାରତ ଏଥର ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିବ ବୋଲି ମୋର ଆଶା ବୋଲି ପଣ୍ଟିଂ କହିଛନ୍ତି ।

ସେ କହିଛନ୍ତି, ରୋହିତ ଜଣେ ବହୁତ ଶାନ୍ତ ପ୍ରକୃତିର ଅଟନ୍ତି । ସେ ଯାହାକିଛି ବି କରନ୍ତି, ବେଶ ଶାନ୍ତ ରୁହନ୍ତି । ତାଙ୍କର ଖେଳିବା ଶୈଳୀରୁ ମଧ୍ୟ ଆପଣ ଏହା ଦେଖିପାରିବେ, ଏବଂ ସେହିଭଳି ସେ ଉଭୟ ପଡ଼ିଆରେ ଏବଂ ପଡ଼ିଆ ବାହାରେ ମଧ୍ୟ ରୁହନ୍ତି । ଆମେ ପଛରେ ବସି କହିପାରିବା ନାହିଁ ଯେ ସେମାନଙ୍କ ଉପରକୁ ଚାପ ଆସିବ ନାହିଁ ବା ସେମାନଙ୍କ ଉପରେ ପ୍ରଭାବ ପକାଇବ ନାହିଁ । କାରଣ ଏଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଚାପ ଆସେ । କିନ୍ତୁ ସମସ୍ତଙ୍କ ଭଳି ରୋହିତ ମଧ୍ୟ ଶାନ୍ତିର ସହ ଏହି ଚାପକୁ ସମ୍ଭାଳିନେବେ । ତେବେ ମେନ୍‌ ଇନ୍‌ ବ୍ଲ୍ୟୁ ପାଇଁ ରୋହିତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଛନ୍ତି ବୋଲି କହିଛନ୍ତି ରିକି ପଣ୍ଟିଂ ।

ପଣ୍ଟିଂ କହିଛନ୍ତି, ବିରାଟ କୋହଲିଙ୍କ ପରି ଜଣେ ଖେଳାଳି, ଯିଏ ସବୁ କାର୍ଯ୍ୟ ହୃଦୟର ସହ କରନ୍ତି, ପ୍ରଶଂସକଙ୍କ କଥା ଶୁଣନ୍ତି ଏବଂ ପ୍ରଶଂସକଙ୍କ ସହିତ ଟିକିଏ ଅଧିକ ଯୋଡ଼ି ହୋଇରହିଥାନ୍ତି, ସେଭଳି ବ୍ୟକ୍ତିତ୍ବର ବ୍ୟକ୍ତିଙ୍କ ପକ୍ଷରେ ଶାନ୍ତ ରହିବା ଏତେ ସହଜ ନୁହେଁ । କିନ୍ତୁ ମୋତେ ଲାଗୁଛି ଯେ ବିରାଟ ଏଭଳି ଠିକ୍‌ ଅଛନ୍ତି । ସେ ଦୀର୍ଘ ସମୟ ଧରି ଜଣେ ଶ୍ରେଷ୍ଠ ଖେଳାଳି ଭାବେ ରହିଛନ୍ତି ଓ ଅଧିନାୟକ ଭାବେ ଭାରତୀୟ କ୍ରିକେଟ୍‌ ପାଇଁ ବହୁତ ଭଲ କାର୍ଯ୍ୟ ମଧ୍ୟ କରିଛନ୍ତି । ତେବେ ଭାରତ ହିଁ ଏଥର ଚମ୍ପିଆନ୍‌ ହେବ ବୋଲି ଅନୁମାନ କରିଛନ୍ତି ପଣ୍ଟିଂ । ସେ କହିଛନ୍ତି, ମୁଁ ପୂର୍ବରୁ ମଧ୍ୟ କହିଛି, ସେମାନେ ସମସ୍ତଙ୍କୁ ହରାଇବା ଭଳି ଏକ ଶକ୍ତିଶାଳୀ ଟିମ୍‌ ପାଇଛନ୍ତି । ସେମାନଙ୍କ ସ୍ପିନ୍‌, ପେସର, ବ୍ୟାଟିଂରେ ଶୀର୍ଷ ଓ ମଧ୍ୟକ୍ରମ ସବୁ ବିଭାଗ ବେଶ ଦୃଢ଼ ରହିଛି । ତେଣୁ ସେମାନଙ୍କୁ ହରାଇବା ଏତେ ସହଜ ହେବନି ।