EntertainmentFeaturedLatest

ଦୈତାରୀ ପଣ୍ଡା କହିଲେ ଟଙ୍କା ନେଇନାହାଁନ୍ତି, ସାମ୍ନାକୁ ଆସିଲା ଚୁକ୍ତିପତ୍ର

ବାଲେଶ୍ବର (ସଂକେତ ଟିଭି): ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ପାର୍ବତୀ ଗଣନାଟ୍ୟ ଲାଗି ଅଭିନୟ କରିବା ପାଇଁ ୧୫ ଲକ୍ଷ ଟଙ୍କା ଅଗ୍ରୀମ ନେଇ ସେ କାର୍ଯ୍ଯରେ ଯୋଗଦେଉନଥିବା ଅଭିଯୋଗ ହୋଇଛି । ଏନେଇ ରାଜଧାନୀ ଅପେରା ଏବଂ ପାର୍ବତୀ ଗଣନାଟ୍ୟର ମୁଖ୍ୟକାର୍ଯ୍ଯ ନିର୍ବାହୀ ଅଧିକାରୀ ହରପ୍ରସାଦ ବାରିକ ଔପଦା ଥାନାରେ ଏତଲା ଦେଇଛନ୍ତି ।

ତେବେ ଏନେଇ ପ୍ରତିକ୍ରିୟା ରଖି ଦୈତାରୀ କହିଛନ୍ତି ସେ ଅଗ୍ରୀମ ଟଙ୍କା ନେଇନାହାଁନ୍ତି କିମ୍ବା ଚୁକ୍ତି ପତ୍ରରେ ସ୍ବାକ୍ଷର କରିନାହାଁନ୍ତି । ସେ ବର୍ତ୍ତମାନ କୋଣାର୍କ ଗଣନାଟ୍ୟରେ କାମ କରୁଛନ୍ତି ବୋଲି ସେ କହିଛନ୍ତି । ସେ କେଉଁଠାରେ ଲୁଚି ନାହାଁନ୍ତି ଏବଂ ଫୋନର ଜବାବ ମଧ୍ୟ ଦେଇଛନ୍ତି । ପାର୍ବତୀ ଗଣନାଟ୍ୟରେ ସେ ରହିବେ ନାହିଁ ବୋଲି ମଧ୍ୟ କହିଛନ୍ତି। ସେମାନେ ଜବରଦସ୍ତି କରୁଥିଲେ ରହିବା ପାଇଁ ହେଲେ ସେ ମନା କରିବାରୁ ସେମାନେ ଏମିତି ପ୍ରତିଶୋଧ ପରାୟଣ ହୋଇଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ଆଜି ଦୈତାରୀ କରିଥିବା ଚୁକ୍ତି ପତ୍ରର କପି ସାମ୍ନାକୁ ଆସିଛି । ସେହି ଚୁକ୍ତିପତ୍ରରେ ଦର୍ଶାଯାଇଛି ଯେ ଗତ ଜୁନ ୬ ତାରିଖ ଦିନ ପାର୍ବତୀ ଗଣନାଟ୍ୟରେ ଅଭିନୟ ପାଇଁ ୨ ବର୍ଷ ଲାଗି ଦୈତାରୀ ପଣ୍ଡାଙ୍କ ୩୦ ଲକ୍ଷର ଚୁକ୍ତି ହୋଇଥିଲା । ସେ ୧୫ ଲକ୍ଷ ଟଙ୍କା ଆଡ୍‌ଭାନ୍ସ ମଧ୍ୟରେ ନେଇଥିଲେ । ୨୦୨୨-୨୪ ଦୁଇ ବର୍ଷ ପାଇଁ ଚୁକ୍ତି ହୋଇଥିଲା । ହେଲେ ଦୈତାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଅଗ୍ରୀମ ଟଙ୍କା ନେଇନାହାଁନ୍ତି ।

ସେପଟେ ପାର୍ବତୀ ଗଣନାଟ୍ୟ କହିଛି ଯେ, ଏବର୍ଷ ଯାତ୍ରା ସିଜନ ପାଇଁ ପାର୍ବତୀ ଗଣନାଟ୍ୟ ବିଭିନ୍ନ ସ୍ଥାନରୁ ୫୦ ଲକ୍ଷ ଟଙ୍କା ଅଗ୍ରୀମ ନେଇସାରିଛନ୍ତି । ତେବେ ସେ ଯାତ୍ରାପାର୍ଟିରେ ଯୋଗ ନଦେଲେ ପାର୍ବତୀ ଗଣନାଟ୍ଯ ବହୁ କ୍ଷତିର ସମ୍ମୁଖୀନ ହେବ ବୋଲି ଏଫଆଇଆର୍ ରେ ଦର୍ଶାଯାଇଛି । ଔପଦା ଥାନାରେ ଆଜି ଏହି ମାମଲା ରୁଜୁ ହେବା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।