BusinessFeaturedLatest

ଏବେ ଟଙ୍କାରେ ହେବ ଆନ୍ତର୍ଯ୍ୟାତୀୟ କାରବାର, କମିବ ଡଲାର୍‌ର ଚାହିଦା

ନୂଆଦିଲ୍ଲୀ (ସଂକେତ ଟିଭି): ଏଣିକି ଅନ୍ତର୍ଜାତୀୟ ବାଣିଜ୍ୟ ଟଙ୍କାରେ ହୋଇପାରିବ । ଉଭୟ ଆମଦାନୀ ଓ ରପ୍ତାନୀ ପାଇଁ ଟଙ୍କାରେ ପେମେଣ୍ଟ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଘୋଷଣା କରିଛି । ଅନ୍ତର୍ଜାତୀୟ ବ୍ୟବସାୟୀ ସମୁଦାୟଙ୍କ ବର୍ଦ୍ଧିତ ଆଗ୍ରହକୁ ଦୃଷ୍ଟିରେ ରଖି ଆର୍‌ବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି । ଏ ନେଇ ଏକ ସର୍କୁଲାର୍‌ ଜାରି କରି ଆର୍‌ବିଆଇ କହିଛି ଯେ ଏହି ନୂଆ ବ୍ୟବସ୍ଥା ଲାଗୁ ପୂର୍ବରୁ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ରୀୟ ବ୍ୟାଙ୍କଠାରୁ ଆଗୁଆ ଅନୁମତି ହାସଲ କରିବାକୁ ହେବ ।

କୌଣସି ଦେଶ ସହିତ ବାଣିଜ୍ୟ କାରବାରର ପେମେଣ୍ଟ ଥଇଥାନ ପାଇଁ ଭାରତରେ ବ୍ୟାଙ୍କଗୁଡ଼ିକ ସମ୍ପୃକ୍ତ ଦେଶର ବାଣିଜ୍ୟ ସହଯୋଗୀଙ୍କ ବ୍ୟାଙ୍କଗୁଡ଼ିକର ‘ସ୍ୱତନ୍ତ୍ର ରୁପି ଭୋଷ୍ଟ୍ରୋ ଆକାଉଣ୍ଟ’ ଖୋଲିପାରିବେ । କେନ୍ଦ୍ରୀୟ ବ୍ୟାଙ୍କ ଆହୁରି କହିଛି ଯେ ଏହି ନୂଆ ବ୍ୟବସ୍ଥା ଜରିଆରେ ଭାରତୀୟ ଆମଦାନିକାରୀଙ୍କୁ ବିଦେଶୀ ବିକ୍ରେତା ଅଥବା ଯୋଗାଣକାରୀଙ୍କଠାରୁ ବସ୍ତୁ ବା ସେବାର ଯୋଗାଣ ବାବଦ ଇନ୍‌ଭଏସ୍‌ ଅଥବା ବିଲ୍‌ ପରିବର୍ତ୍ତେ ଭାରତୀୟ ଟଙ୍କାରେ ପେମେଣ୍ଟ କରିବାକୁ ହେବ । ଏହାକୁ ଉକ୍ତ ଦେଶର ଏଜେଣ୍ଟ ବ୍ୟାଙ୍କର ସ୍ୱତନ୍ତ୍ର ଭୋଷ୍ଟ୍ରୋ ଖାତାରେ ଜମା କରାଯିବ ।

ଅନ୍ୟପକ୍ଷରେ ବିଦେଶରେ ଉତ୍ପାଦ ବା ସେବାର ଯୋଗାଣ କରୁଥିବା ରପ୍ତାନିକାରୀଙ୍କୁ ଉକ୍ତ ଦେଶର ନିର୍ଦ୍ଦିଷ୍ଟ ବ୍ୟାଙ୍କର ସ୍ୱତନ୍ତ୍ର ଭୋଷ୍ଟ୍ରୋ ଖାତାରେ ଜମା ରାଶିରୁ ଭାରତୀୟ ଟଙ୍କାରେ ପେମେଣ୍ଟ କରାଯିବ । ଏହି ବ୍ୟବସ୍ଥା ଦ୍ୱାରା ଭାରତୀୟ ରପ୍ତାନିକାରୀ ବିଦେଶୀ ଆମଦାନିକାରୀଙ୍କଠାରୁ ଅଗ୍ରିମ ପେମେଣ୍ଟ ମଧ୍ୟ ଟଙ୍କାରେ ହାସଲ କରିପାରିବେ ।