EntertainmentLatest

୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା ଦାୟର କଲେ ପ୍ରକୃତି ମିଶ୍ର

ଭୁବନେଶ୍ବର : (ସଂକେତ୍ ଟିଭି) ଭୁବନେଶ୍ବର କୋର୍ଟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା ଦାୟର କରିଛନ୍ତି । ଅଭିନେତା ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ବଶୁର ଲଳିତ ଶତପଥୀଙ୍କ ନାଁମରେ ଏହି ମାମଲା ସେ ଦାଖଲ କରିଛନ୍ତି । ଏହି ମାମଲାରେ ସୋସିଆଲ ମିଡିଆ ୟୁଟ୍ୟୁବ୍‌କୁ ମଧ୍ଯ ପକ୍ଷଭୁକ୍ତ କରାଯାଇଛି ।

ୟୁଟ୍ୟୁବ୍‌ରେ ପ୍ରକୃତି ମିଶ୍ରଙ୍କୁ ମାଡ଼ ଓ ଧସ୍ତାଧସ୍ତି ଭିଡିଓ ସହ ଅନେକ ଅପମାନଜନକ ଭିଡିଓ ଥିବାରୁ ଏହାକୁ ପକ୍ଷଭୁକ୍ତ କରାଯାଇଛି । ଦାଖଲ ହୋଇଥିବା ମାମଲାରେ ପ୍ରକୃତିଙ୍କୁ ଅପଲୋଡ ହୋଇଥିବା ସମସ୍ତ ଭିଡିଓ ୟୁଟ୍ୟୁବ୍‌ରୁ ହଟାଇବାକୁ ଆବେଦନରେ କୁହାଯାଇଛି ।

ଗତ ଜୁଲାଇ ୨୩ ତାରିଖରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ । ପୂରା ଘଟଣା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।
ଏହାପରେ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ, ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରିଥିଲା ପୋଲିସ । ତେବେ ଏହି ଘଟଣାକୁ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରି ଗତକାଲି (୨୩ ତାରିଖ) ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହାକୁ ନେଇ ପ୍ରକୃତି ମିଶ୍ର କହିଛନ୍ତି, “ଆଇନ ତା କାମ କରିବ । ମୋ ସହ ଯାହା ହୋଇଛି ତା ସମସ୍ତେ ଦେଖିଛନ୍ତି । ମୋ ସହ ଅନ୍ୟାୟ ହୋଇଛି । ମୁଁ ନ୍ୟାୟ ପାଇଁ କୋଟଙ୍କ ଦ୍ବାରସ୍ଥ ହୋଇଛି ।”ସେପଟେ ପ୍ରକୃତିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, “ଆମେ ଆଜି ମାନହାନୀ ମକଦ୍ଦମା କରିଛୁ । ଲଳିତ ଶତପଥୀ ଓ ତାଙ୍କ ଝିଅ ତୃପ୍ତି ଶତପଥୀଙ୍କ ବିରୋଧରେ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରାଯାଇଛି । ୟୁଟ୍ୟୁବ୍‌ରେ ପ୍ରକୃତି ମିଶ୍ରଙ୍କ ସମ୍ମାନ ହାନୀ ହେଲା ଭଳି ଭିଡିଓ ଅପଲୋଡ ହୋଇଛି । ଏଥିପାଇଁ ୟୁଟ୍ୟୁବ୍‌କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି ।”

ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନ ଚେନ୍ନାଇ ଯାଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ଅଭିନେତା ବାବୁଶାନଙ୍କ ପତ୍ନୀ ତୃପ୍ତି ଗାଡି ଅଟକାଇ ନିଜ ସ୍ବାମୀଙ୍କୁ ମାଡ ମାରିଥିଲେ । ଏହାସହ ପ୍ରକୃତିଙ୍କ ଦୁର୍ବବ୍ୟବାହର କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ବେଶ କିଛି ଦିନ ଧରି ଏହି ଘଟଣା ରାଜ୍ୟରେ ଚର୍ଚ୍ଚାରେ ରହିଥିଲା । ଘଟଣାକୁ ନେଇ ପ୍ରଥମେ ପ୍ରକୃତିକଙ୍କ ବାପା ଥାନାରେ ଏତଲା ଦେଇଥିଲେ । ପରେ ବାବୁଶାନଙ୍କ ପତ୍ନୀ ତୃପ୍ତି କାଉଣ୍ଟର ଏତଲା ଦେଇଥିଲେ ।