ବିଶ୍ୱକପ୍ ଦଳରେ ବିରାଟଙ୍କୁ ରଖିବାକୁ ଚୟନକର୍ତ୍ତାଙ୍କ ସହ ଯୁକ୍ତି କଲେ ରୋହିତ
ନୂଆଦିଲ୍ଲୀ (ସଂକେତ ଟିଭି) : ଆଗାମୀ ଟି-୨୦ ବିଶ୍ୱକପ ଦଳରେ ଚୟନକର୍ତ୍ତା ରୋହିତ ଶର୍ମା କିମ୍ବା ବିରାଟ କୋହଲିଙ୍କ ଭିତରୁ ଜଣେ ଖେଳାଳିଙ୍କୁ ଚୟନ କରିବାକୁ ଚାହୁଁଛନ୍ତି । ଅର୍ଥାତ ଯଦି ବିଶ୍ୱକପରେ ରୋହିତ କ୍ୟାପଟେନ୍ ହୁଅନ୍ତି, ତେବେ ବିରାଟ କୋହଲି ବିଶ୍ୱକପରୁ ବାଦ୍ ପଡିପାରନ୍ତି । ହେଲେ ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିରେ କିନ୍ତୁ କ୍ୟାପଟେନ୍ ରୋହିତ ଶର୍ମା ଖୁସି ନାହାଁନ୍ତି । ଏପରିକି ବିରାଟ କୋହଲିଙ୍କୁ ଦଳରେ ସାମିଲ କରିବାକୁ ସେ ଚୟନକର୍ତ୍ତାଙ୍କ ସହ ଯୁକ୍ତି କରିଥିବା ଖବର ମଧ୍ୟ ଭାଇରାଲ ହେଉଛି ।
ବିରାଟ କୋହଲିଙ୍କ ଧିମା ବ୍ୟାଟିଂ କାରଣରୁ ତାଙ୍କୁ ଟି-୨୦ ବିଶ୍ୱକପରେ ସାମିଲ କରିବାକୁ ଚୟନକର୍ତ୍ତା ଅମଙ୍ଗ ଥିବା କୁହାଯାଉଛି । ତାଙ୍କ ସ୍ଥାନରେ ଇଶାନ କିଷାନ କିମ୍ବା ଯଶସ୍ୱୀ ଜୟସୱାଲଙ୍କୁ ଦଳରେ ରଖିବାକୁ ଚୟନକର୍ତ୍ତାମାନେ ଚିନ୍ତା କରୁଛନ୍ତି । ହେଲେ ଏପରି ଖବର ମଧ୍ୟ ଆସୁଛି ଯେ, ଯଦି ଏଥର ଆଇପିଏଲରେ କୋହଲି ଆକ୍ରମଣାତ୍ମକ ଖେଳ ଦେଖାନ୍ତି, ତେବେ ସେ ବିଶ୍ୱକପ୍ ଦଳରେ ସାମିଲ ହେଇପାରନ୍ତି ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଟୁଇଟରେ କୁହାଯାଇଛି ଯେ, ଆଗାମୀ ଟି-୨୦ ବିଶ୍ୱକପରେ ବିରାଟଙ୍କୁ ସାମିଲ କରିବା ପାଇଁ ଚୟନକର୍ତ୍ତାଙ୍କ ସହ ଯୁକ୍ତି କରିଛନ୍ତି ରୋହିତ ଶର୍ମା । ହିଟମ୍ୟାନ୍ ଚାହୁଁଛନ୍ତି ଯେ, ବିଶ୍ୱକପ୍ ଦଳରେ ବିରାଟ କୋହଲିଙ୍କୁ ସ୍ଥାନ ମିଳୁ । ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୧ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବାବେଳେ, ଜୁନ୍ ୨୯ ତାରିଖରେ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯିବ ।