LatestNewsPolitics

ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟ ଭାବେ ଓଡିଶା ଜଣା: ମଲ୍ଲିକାର୍ଜୁନ ଖଡ଼ଗେ

ଭୁ‌ବନେଶ୍ବର (ସଂକେତ ଟିଭି) : ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟ ଭାବେ ଓଡିଶା ଜଣାଶୁଣା। ଓଡ଼ିଶାର ଏହି ପରିଚୟ ଉଭୟ ବିଜେପି-ବିଜେଡି ତିଆରି କରିଛନ୍ତି। ତେଣୁ ଏହି ପରିଚୟକୁ ବଦଳାଇବାକୁ ହେଲେ ବିଜେପି-ବିଜେଡିକୁ ହଟାଇବାକୁ ପଡିବ। ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହା କହିଛନ୍ତି ।

ସେ କହିଛନ୍ତି ଯେ ବେରୋଜଗାରୀ ଦୂର କରିବାକୁ ଉଭୟ ବିଜେପି ଓ ବିଜେଡି ସରକାର ଧ୍ୟାନ ଦେଉନାହାନ୍ତି। ଓଡ଼ିଶାର ୪୧% ଲୋକ ବେରୋଜଗାର ରହିଛନ୍ତି। ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ମଧ୍ୟ ଜଣେ ଯଦି ଲୋକଙ୍କ ଚିନ୍ତା କରିବେନି ତେବେ ସମର୍ଥନ କେଉଁ ମୁହଁରେ ମାଗୁଛନ୍ତି। ଇଣ୍ଡିଆ ମେଣ୍ଟ ସରକାର ଗଣତନ୍ତ୍ରକୁ ବଞ୍ଚାଇବାକୁ ଲଢୁଛି।

ଓଡ଼ିଶାର ଭଲ ପାଇଁ ଉଭୟ ବିଜେପି-ବିଜେଡି ମିଳିତ ଭାବେ କାମ କରିବେ ବୋଲି ଭାବୁଥିଲୁ। କିନ୍ତୁ ତାହା କରିପାରିଲେ ନାହିଁ। ମହଙ୍ଗା, ବେରୋଜଗାରୀ ଅଧିକ ବଢ଼ିଛି। ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟ ଭାବେ ଏବେ ଜଣାଶୁଣା ବୋଲି ସେ କହିଛନ୍ତି।

ଖଡଗେ କହିଛନ୍ତି ଯେ, ଓଡ଼ିଶାରେ ଖଣିଖାଦାନରୁ ପ୍ରବଳ ମାତ୍ରାରେ ଲୁଟ୍ ହେଉଛି। ତେଣୁ ଲୋକଙ୍କୁ ଏବେ ଯେଉଁ ସୁଯୋଗ ମିଳିଛି ତାହାର ସଠିକ୍ ଉପଯୋଗ କରନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି, ଆମେ ୪୦୦ରୁ ଅଧିକ ଆସନରେ ଜିତିବୁ। କିନ୍ତୁ ଆଗ କୁହନ୍ତୁ, କେଉଁଠୁ ଆଣିବେ ଏତେ ଆସନ? ଓଡ଼ିଶାରେ ବିଜେଡିକୁ ଯେତିକି ଆସନ ମିଳୁଥିଲା, ତାହା ଏଥର ହେବନି। ବରଂ କଂଗ୍ରେସ ଚଳିତ ନିର୍ବାଚନରେ ଫାଇଦା ନେବ ବୋଲି ସେ କହିଛନ୍ତି। ଏଥର ବିଜେପି ସରକାର ଆଉ କେନ୍ଦ୍ରରେ ଆସିବନି। ୨୦୦ରୁ ଅଧିକ ଆସନ ପାଇବନି ବିଜେପି ବରଂ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଢିବ ବୋଲି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ।