BusinessFeaturedLatest

ଷ୍ଟେଟ୍‌ ବ୍ୟାଙ୍କ୍‌ର ଏଫଡି ଉପରେ ବଢ଼ିଲା ସୁଧ ହାର

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଖାସ୍ ଅବଧି ପାଇଁ ଫିକ୍ସ ଡିପୋଜିଟ୍(ଏଫଡି) ଉପରେ ସୁଧ ଦର ୦.୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛି। ଭିନ୍ନ ଭିନ୍ନ ଅବଧି ପାଇଁ ନେଉଥିବା ଏଫଡି ଦର ୦.୨୫% ରୁ ନେଇ ୦.୮% ପର୍ଯ୍ୟନ୍ତ ବଢ଼ାଯାଇଛି। ନୂଆ ଦର ୨୨ ଅକ୍ଟୋବର ଅର୍ଥାତ୍ ଆଜିଠାରୁ ଲାଗୁହେବ।

ଚଳିତ ସପ୍ତାହରେ ଷ୍ଟେଟ ବ୍ୟାଙ୍କ୍‌ ଦ୍ବିତୀୟ ଥର ଏଫଡି ଦରରେ ବୃଦ୍ଧି କରିଛି। ଏହି ସମୟରେ କିଛି ଖାସ୍ ଅବଧିର ଜମା ଉପରେ ୦.୯ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ଏହି ବୃଦ୍ଧି ପରେ ଏଣିକି ୨୧୧ ଦିନରୁ ଅଧିକ କିନ୍ତୁ ଏକ ବର୍ଷରୁ କମ୍ ଅବଧି ପାଇଁ ୨ କୋଟିରୁ କମ୍ ଜମା ଉପରେ ସୁଧ ୫.୫୦ ପ୍ରତିଶତ ମିଳିବ।

ସାତରୁ ୪୫ ଦିନ ଅବଧି ପାଇଁ ଜମା ଉପରେ ସୁଧ ତିନି ପ୍ରତିଶତ ରହିଛି। ୪୬ ଦିନରୁ ୧୭୯ ଦିନର ଅବଧି ପାଇଁ ନେଉଥିବା ଏଫଡି ଉପରେ ସୁଧ ୪.୫ ପ୍ରତିଶତ । ୧୮୦ ଦିନରୁ ୨୧୦ ଦିନର ଅବଧି ପାଇଁ ଏଫଡି ୫.୨୫ ପ୍ରତିଶତ କରାଯାଇଛି। ସେହିଭଳି ୫ ବର୍ଷରୁ ନେଇ ୧୦ ବର୍ଷ ଅବଧି ଥିବା ଏଫଡି ଉପରେ ୫.୮୫ ପ୍ରତିଶତରୁ ବଢ଼ି ୬.୧ ପ୍ରତିଶତ କରାଯାଇଛି।