Latest

କେମିତି ଦୁର୍ଘଟଣାର ଶିକାର ହେଲା ଋଷଭ ପନ୍ତଙ୍କ ମର୍ସିଡିଜ୍‌ କାର୍‌, ଦେଖନ୍ତୁ ଭିଡିଓ……

ନୂଆଦିଲ୍ଲୀ : (ସଂକେତ୍ ଟିଭି) କ୍ରିକେଟର ଋଷଭ ପନ୍ତ ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିବା ସମୟରେ ଆଜି ରୁର୍କୀରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପନ୍ତଙ୍କ ଦାମୀ ମର୍ସିଡିଜ୍‌ କାର୍‌ ରୋଡ୍‌ ଡିଭାଇଡରରେ ପିଟି ହୋଇ ସମ୍ପୁର୍ଣ୍ଣ ଜଳିଯାଇଥିଲା। ତେବେ ଏହି ଭୟାବହ ଦୁର୍ଘଟଣାରୁ ପନ୍ତ ଅଳ୍ପକେ ବଞ୍ଚିଯାଇଛନ୍ତି। ଦୁର୍ଘଟଣାରେ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି ।

ସୂଚନା ଅନୁସାରେ, ପନ୍ତ ଆଜି ସକାଳେ ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ରୁର୍କୀର ମହମ୍ମଦପୁର ଜାଟ ନିକଟରେ ତାଙ୍କ କାର (ମର୍ସିଡିଜ୍-ଜିଏଲ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏକାକୀ କାର୍‌ ଚଳାଇ ଯାଉଥିବା ବେଳେ ହଠାତ୍‌ ଘୁମେଇ ପଡ଼ିଥିଲେ। ଫଳରେ କାରଟି ସିଧା ଯାଇ ରାସ୍ତା କଡ଼ ଡିଭାଇଡର ରେଲିଂରେ ମାଡ଼ ହୋଇଥିଲା। ଡିଭାଇଡର୍‌ରେ ପିଟି ହେବା ପରେ କାର୍‌ରେ ନିଆଁ ଲାଗି ଯାଇଥିଲା। କାର୍‌ ଭିତରେ ପନ୍ତ ଆହତ ହୋଇଥିବା ସତ୍ତ୍ବେ ନିଜ ଜୀବନ ବଞ୍ଚାଇବା ପାଇଁ ଜଳନ୍ତା କାର୍‌ର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ।

ପନ୍ତ କାର୍‌ରୁ ଡେଇଁବା ପରେ ଏହା ହୁତୁହୁତୁ ହୋଇ ଜଳି ଯାଇଥିଲା। କିନ୍ତୁ ପନ୍ତ ବଡ଼ ଅଘଟଣରୁ ରକ୍ଷା ପାଇ ଯାଇଥିଲେ। ପନ୍ତ ଜଳନ୍ତା କାର୍‌ରୁ ବାହାରକୁ ଡେଇଁପଡିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକ ତାଙ୍କୁ ଉଠାଉଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆ ଟ୍ବିଟରରେ କିଛି ଲୋକ ପୋଷ୍ଟ କରିଛନ୍ତି। ପନ୍ତ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଆହତ ଋଷଭ ପନ୍ତଙ୍କୁ ଦିଲ୍ଲୀ ରୋଡ୍‌ ସାକଶମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠରେ ପ୍ରାଥମିକ ଚିକିତ୍ସାପରେ ଋଭଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଯିବ।

ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର କହିଛନ୍ତି ଯେ ପନ୍ତ ଏକାକୀ ଗାଡ଼ି ଭିତରେ ଥିଲେ। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯିବାରୁ ପନ୍ତ କାର୍‌ କାଚ ଭାଙ୍ଗି ଠିକଣା ସମୟରେ ବାହାରକୁ ଚାଲି ଆସିଥିଲେ। ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟବଶତଃ ପନ୍ତ ଗାଡ଼ି ବାହାରକୁ ଚାଲି ଆସିଥିଲେ। ତେଣୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି।କିନ୍ତୁ ସେ ଦୁର୍ଘଟଣା ଯୋଗୁ ଗୁରୁତର ଆହତ ହୋଇଛନ୍ତି।