LatestNewsPolitics

ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ

ସମ୍ବଲପୁର (ସଂକେତ ଟିଭି): ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ସଂଗଠନ ସଭାପତିଙ୍କ ଜରିଆରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି । ରାସେଶ୍ବରୀ ସମ୍ବଲପୁରରୁ ଟିକଟ ଆଶାୟୀ ଥିଲେ । କିନ୍ତୁ ଦଳ ରୋହିତ ପୂଜାରୀଙ୍କୁ ଟିକଟ ଦେବା ପରେ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି ।

୨୦୧୪ରୁ ୨୦୧୯ ଯାଏଁ ରାସେଶ୍ବରୀ ପାଣିଗ୍ରାହୀ ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟରେ ବିଧାୟକ ଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୨୪ରେ ସେ ସମ୍ବଲପୁର ଆସନରୁ ଟିକଟ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଅଣଦେଖା କରିଥିଲା । ବିଜେଡି ପକ୍ଷରୁ ଦୁଇ ଥର ଲାଗି ସମ୍ବଲପୁର ବିଧାନସଭା ଆସନ ଘୋଷଣା କରିଥିଲା । ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ସମ୍ବଲପୁର ଟିକଟ ଦେଇଥିଲା । ରେଢାଖୋଲରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିଲେ । ପ୍ରସନ୍ନ ଅସନ୍ତୋଷ ବ୍ୟକ୍ତ କରିବାରୁ ଦଳ ଆସନ ଅଦଳବଦଳ କରିଥିଲା । ତାଙ୍କୁ ବଦଳାଇ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଟିକଟ ଦିଆଯାଇଥିଲା । ଏହାପରେ ରସେଶ୍ୱରୀଙ୍କ ଟିକେଟ ଆଶା ଦ୍ଵିତୀୟ ଥର ଲାଗି ଭାଙ୍ଗିଥିଲା । ତେଣୁ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।

ଇସ୍ତଫା ଦେବା ପରେ ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି ଯେ, ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଜେଡି ଦଳରୁ ଇସ୍ତଫା ଦେଇଛି । ଯେଉଁ ବ୍ୟକ୍ତିଙ୍କୁ ଦଳର ଶୀର୍ଷ ନେତୃତ୍ୱ ଅପାରଗ ବୋଲି କହିଥିଲେ ସେହି ବ୍ୟକ୍ତିଙ୍କୁ ହିଁ ବିଜେଡି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପରି ସମ୍ବେଦନଶୀଳ ଆସନରୁ ପ୍ରାର୍ଥୀ କରିଛି । ଆଗରୁ ମୁଁ ସମାଜ ସେବା କରୁଥିଲି । ବିଜେଡି ଦଳ ସାମୁହିକ ସେବା କରିବା ପାଇଁ ମତେ ବିଧାୟକ ହେବାର ସୁଯୋଗ ଦେଇଥିଲା । ତେଣୁ ବିଗତ ଦିନରେ ମୁଁ ସମାଜ ସେବା କରୁଥିଲି ଆଗକୁ ମଧ୍ୟ ସମାଜ ସେବା କରିବି । ତେବେ ସେ ଆଗକୁ କୌଣସି ଦଳରେ ଯୋଗଦେବାର ନାହିଁ କି ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।