LatestNewsPolitics

ଓଡିଶାରେ ବିଜେପି ଜିତିଲେ, ପ୍ରତି ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର; ସ୍ମୃତି ଇରାନୀ

ଭୁବନେଶ୍ୱର (ସଂକେତ ଟିଭି): ବିଜେପି ସରକାର ଆସି‌ଲେ, ସୁଭଦ୍ରା ଯୋଜନାରେ ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦିଆଯିବ । ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଜଙ୍ଗ ଠାରେ ଆୟୋଜିତ ବିଜେପିର ନିର୍ବାଚନୀ ସଭାରେ ଯୋଗଦେଇ ବରିଷ୍ଠ ବିଜେପି ନେତ୍ରୀ ସ୍ମୃତି ଇରାନୀ ଏହି ପ୍ରତିଶୃତି ଦେଇଛନ୍ତି ।

ସେ କହିଛନ୍ତି ଲୋକତନ୍ତ୍ରରେ ଆପଣ ମାନେ ଜଣେ ଜଣେ ହନୁମାନ ସାଜି ରାଜ୍ୟରେ ଅନ୍ୟାୟ ଅତ୍ୟାଚାରକୁ ପୋଡି ଦିଅନ୍ତୁ। ଏଥିପାଇଁ ମୋଦିଙ୍କୁ ଭୋଟ ଦିଅନ୍ତୁ । ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଏଠୁ ବିଜେଡିକୁ ହଟାଇବୁ ବୋଲି ସ୍ମୃତି କହିଛନ୍ତି।

ସ୍ମୃତି ଇରାନୀ ଆହୁରି କହିଛନ୍ତି, ଓଡ଼ିଶାରେ ରିମୋଟ୍ କଣ୍ଟ୍ରୋଲରେ ସରକାର ଚାଲିଛି। ବିଜେଡି ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ଭଳି ମାଫିଆ ଦେଇଛି। ସରକାର ବ କାହିଁକି ରତ୍ନଭଣ୍ଡାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନ କରି ଚାପି ଦେଲେ। ମୁଁ ରାଜ୍ୟସରକାରଙ୍କୁ ଚେତାବନୀ ଦେଉଛି, ଓଡ଼ିଶାରେ ବିଜେପି ସରକାର ଆସିଲେ, ରତ୍ନଭଣ୍ଡାର ଚାବି ରିପୋର୍ଟର ଯାଞ୍ଚ କରାଯିବ। ଯାଞ୍ଚ ପରେ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶାରେ ନବୀନ ବାବୁଙ୍କୁ କହିବାର ସ୍ବାଧୀନତା ନାହିଁ, କି କାହାକୁ ଭେଟିବାର ସ୍ବାଧୀନତା ନାହିଁ। ଏଥର ରିମୋର୍ଟ କଣ୍ଟ୍ରୋଲ ସରକାରକୁ ହଟାନ୍ତୁ ବୋଲି ଭୋଟର ମାନଙ୍କୁ ବକ୍ତବ୍ୟରେ କହିଥିଲେ। ବିଜେପି ଆସିଲେ ରତ୍ନଭଣ୍ଡାର ଚାବି ଚୋରୀର ତଦନ୍ତ ହେବା ସହ ମାଗଣା ସୋଲାର ବିଜୁଳି ଓ ସୁଭଦ୍ରା ଯୋଜନାର ସୁଫଳ ଘରେ ଘରେ ପହଞ୍ଚିବ ବୋଲି ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେଉଛନ୍ତି, ଚାଉଳ ଦେଉଛନ୍ତି, ଲକ୍ଷେ ୬୦ହଜାର ଘରକୁ ପାଣି ଯୋଗାଇଛନ୍ତି। ଏହାଛଡ଼ା କିଷାନ୍ ସମ୍ମାନନିଧି ବାବଦରେ ପ୍ରତି କୃଷକଙ୍କ ଖାତାକୁ ସିଧାସଳଖ ୬ ହଜାର ଟଙ୍କା ପଠାଉଛନ୍ତି। ଏଣୁ ବିଜେପିକୁ ଭୋଟ ଦେଇ ବିଜୟୀ କରିବାକୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିବେଦନ କରିଛନ୍ତି।

ସେହିପରି ସ୍ମୃତି ଇରାନୀ ବାଲେଶ୍ବରର କୁରୁଡା ପଡିଆରେ ଉଦବୋଧନ ଦେଇ ବିଜେଡିକୁ ୩ ପ୍ରଶ୍ନ କରିଛନ୍ତି । ସେ ପଚାରିଛନ୍ତି ୩୨ ହଜାର କୋଟିର ଚିଟ୍‌ଫଣ୍ଡ ଘୋଟାଲା ହେଲା, ଟଙ୍କା କୁଆଡ଼େ ଗଲା, ୬୦ ହଜାର କୋଟିର ଖଣି ଦୁର୍ନୀତି ହେଲା, ଟଙ୍କା କୁଆଡ଼େ ଗଲା, ରତ୍ନ ଭଣ୍ଡାର ଚାବି କୁଆଡ଼େ ଗଲା । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବି ଖୋଜାଯିବ ଏବଂ ତଦନ୍ତ ହେବ । ଏହି ମାମଲାରେ ଯାହାର ବି ସଂପୃକ୍ତି ଥିବ, ତା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।