FeaturedLatestNews

ଭାରସାମ୍ୟ ହରାଇ ପାହାଡରେ ପିଟି ହେଲା ଯାତ୍ରୀବାହୀ ବସ୍,୨୦ରୁ ଅଧିକ ଆହତ

ବାରିପଦା (ସଂକେତ ଟିଭି) : ମୟୂରଭଞ୍ଜର ଦୁଆରଶୁଣୀ ଘାଟିରେ ଭାରସାମ୍ୟ ହରାଇ ପାହାଡ଼ରେ ପିଟି ହେଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ବେଳେ କାହାର ମୃତ୍ୟୁ ହୋଇନଥିବା ସୂଚନା ମିଲିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଦେଇ ଯାଇଥିବା ୪୯ ନମ୍ୱର୍ ଜାତୀୟ ରାଜପଥ ଉପରେ ଦୁଆରଶୁଣୀ ଘାଟିରେ ଏହି ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସଟି ଅନୁଗୋଳରୁ ଶ୍ରମିକମାନଙ୍କୁ ନେଇ ପଶ୍ଚିମବଙ୍ଗ ମୁର୍ସିଦାବାଦ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ।

ସୂଚନା ଅନୁସାରେ, ଆଜି ସକାଳ ସୟମରେ ଏକ ଘରୋଇ ଯାତ୍ରୀବାହୀ ବସ ଅନୁଗୋଳରୁ ମୁର୍ସିଦାବାଦ ଅଭିମୁଖେ ଯାଉଥିଲା । ବସରେ ମୋଟ ୭୦ରୁ ୭୫ ଜଣ ଯାତ୍ରୀ ବସିଥିଲେ । ହଠାତ ଦୁଆରଶୁଣୀ ଘାଟିରେ ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଥିଲା । ଫଳରେ ଡ୍ରାଇଭର ଜଣଙ୍କ ବସ ଭିତରେ ଚାପି ହୋଇ ରହିଥିବା ବେଳେ ପାଖାପାଖି ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏନେଇ ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲକୁ ପଠାଇଥିଲେ । ଡ୍ରାଇଭରଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସେପଟେ ବାଙ୍ଗିରିପୋଷି ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଦୁର୍ଘଟଣା ର ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ପରିଚୟ ମିଳିପାରି ନାହିଁ ।