LatestNewsPolitics

ବିଜେଡି ଛାଡ଼ିଲେ ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ

ଭୁବନେଶ୍ବର (ସଂକେତ ଟିଭି) : ପୂର୍ବତନ ସାଂସଦ ତଥା ବିଜେଡିର ବରଗଡ଼ ଜିଲ୍ଲା ସଭାପତି ପ୍ରଭାସ ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସେ ନବୀନନିବାସ ଆସି ନିଜର ଇସ୍ତଫାପତ୍ର ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।

ସେ ଚଳିତ ନିର୍ବାଚନରେ ବରଗଡ଼ ଲୋକସଭା ପ୍ରାର୍ଥୀ ହେବା ଲାଗି ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଦଳ ତାଙ୍କ ବଦଳରେ ପରିଣୀତା ମିଶ୍ରଙ୍କୁ ବରଗଡ଼ ଲୋକସଭା ଟିକେଟ ଦେଇଥିଲା। ସେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ। ପ୍ରଭାସ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ବିଜେଡି ସାଂସଦ ଥିଲେ।

ବିଜେଡି ଛାଡ଼ିବା ପରେ ପ୍ରଭାସ କହିଛନ୍ତି, ଦଳ ଗଠନରେ ଗୁଣ୍ଡୁଚି ମୂଷା ଭଳି ମୋର ଅବଦାନ ଥିଲା। ଦଳ ପାଇଁ ମୁଁ ବହୁତ କାମ କରିଛି। ବିଜେପୁର ଓ ପଦ୍ମପୁର ଉପନିର୍ବାଚନରେ ଦଳ ପାଇଁ କଠିନ ପରିଶ୍ରମ କରିଛି। ବରଗଡ଼ ଜିଲ୍ଲାର ବିକାଶ ପାଇଁ ମୁଁ କାମ କରିଛି। ବିଜେଡିରେ ଯେଉଁ ନୀତି, ଆଦର୍ଶ ଥିଲା, ଏବେ ସେହି ଆଭିମୁଖ୍ୟ ଏବେ ଆଉ ଦଳରେ ନାହିଁ। ଦଳରେ ମୋ ଭଳିଆ ଉଚ୍ଚ ଶିକ୍ଷିତ ବ୍ୟକ୍ତିର ଆବଶ୍ୟକ ନାହିଁ। ଦଳ ଏବେ ଯେପରି ଭାବେ ଚାଲିଛି ଆମ ଭଳିଆ ଲୋକ ଦଳରେ ଦରକାର ନାହିଁ। ଏଥିପାଇଁ ଦଳରୁ ମୁଁ ଇସ୍ତଫା ଦେଲି।

ସେ ଆହୁରି କହିଛନ୍ତି, ୨୦୧୪ରୁ ୨୦୧୯ ଦଳ ମୋତେ ଭରଷା କରିଥିଲା, ମୋତେ ଟିକେଟ ଦେଇଥିଲା। ୨୦୧୯ ରେ ମୋତେ ରିପିଟ୍ ପାଇଁ ଲୋକେ ଚାହୁଁଥିଲେ। ହେଲେ ମୋତେ ଟିକେଟ ମିଳିଲା ନାହିଁ।

ଏଥର ଅନ୍ୟଦଳରୁ ମୋତେ ଅଫର ଥିଲା। ହେଲେ ମୁଁ ଗଲି ନାହିଁ। ମୁଁ ନିର୍ବାଚନ ଲଢ଼ିବି ନାହିଁ, ଲୋକମାନଙ୍କ ସେବା କରିବି। ମୋ ସମର୍ଥକଙ୍କ ସହ ଆଲୋଚନା କରି ଆଗକୁ କାର୍ଯ୍ୟପ୍ରନ୍ଥା ଗ୍ରହଣ କରିବି ବୋଲି ପ୍ରଭାସ କହିଛନ୍ତି।