CulturalFeaturedLatest

ମହାକାଶରେ ସପ୍ତାହଯାକ ମହାଜାଗତିକ ଦୃଶ୍ୟ, ଆଲୋକିତ ହେବ ରାତି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଚଳିତ ସପ୍ତାହରେ ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଆଲୋକିତ ହେବ ରାତି । ଅର୍ଥାତ୍ ରାତି ଆକାଶରେ ଦୃଶ୍ୟମାନ ହେବ ଅନେକ ଉଜ୍ୱଳ ଗ୍ରହ, ଉପଗ୍ରହ ଓ ନକ୍ଷତ୍ର । ଆସନ୍ତା ସାତଦିନ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ପରେ ରାତି ଆକାଶରେ ଯେଉଁ ଆଡକୁ ଚାହିଁବେ ଆପଣଙ୍କ ଆଖିକୁ ମହାଜଗତର କିଛି ନା କିଛି ଅତି ଉଜ୍ୱଳ ବସ୍ତୁ ଦେଖିବାକୁ ମିଳିବ । ଜହ୍ନ ଆକାଶରେ ୯୧ ପ୍ରତିଶତ ଅଧିକ ଆଲୋକ ପ୍ରଦାନ କରିବେ । ଫଳରେ ଜହ୍ନ ଆଲୁଅରେ ରାତି ଅଧିକ ଉଜ୍ୱଳ ଦେଖାଯିବ ।

ରେଗୁଲସ୍ ନାମକ ତାରାକୁ ଚନ୍ଦ୍ର ଅତିକ୍ରମ କଲାବେଳେ ଆକାଶ ଅଧିକ ଉଜ୍ୱଳ ରହିବ । ସେହିପରି ୧୦ ତାରିଖ ରାତିରେ ଜହ୍ନ ୮୪ ପ୍ରତିଶତ ଆଲୋକିତ ହେବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ସୂର୍ଯ୍ୟାସ୍ତପରେ, ଚନ୍ଦ୍ର ଉଦୟ ସମୟରେ ପୂର୍ବ ଆକାଶରେ ଉଜ୍ୱଳ ଜହ୍ନରାତିକୁ ଆଲୋକିତ କରିବ । ସେହିପରି ୧୧ ତାରିଖ ରାତିରେ ଦକ୍ଷିଣ ଆକାଶରେ ମଙ୍ଗଳ ଗ୍ରହକୁ ଦେଖିବାକୁ ମିଳିବ ।

୧୨ ତାରିଖରେ ଏକ ଧୂମକେତୁ ସୂର୍ଯ୍ୟଙ୍କ ପାର୍ଶ୍ବ ଦେଇ ଅତିକ୍ରମ କରିବ । ଏହି ଧୂମକେତୁ ଉତ୍ତରଦିଗରେ ଦେଖିବାକୁ ମିଳିବ । ସେହିପରି ୧୪ ତାରିଖରେ ଜହ୍ନ ସ୍ପିକ ନାମକ ଉଜ୍ୱଳ ତାରା ପାଖଦେଇ ଗତି କରିବା ଯୋଗୁ ଏହା ୪୭ ପ୍ରତିଶତ ଉଜ୍ୱଳ ଦେଖାଯିବ । ଫଳରେ ରାତିରେ ଆକାଶ ଆଲୋକିତ ହେବ । ସେହିପରି ଦକ୍ଷିଣ ଆକାଶରେ ବୃହସ୍ପତି ଗ୍ରହକୁ ମଧ୍ୟ ଦେଖିବାକୁ ମିଳିବ । ଏତେସବୁ ମହାଜାଗତିକ ଦୃଶ୍ୟ ଏହି ସପ୍ତାହରେ ରାତି ଆକାଶରେ ଦେଖାଯାଉଥିବାରୁ ଅନ୍ୟ ରାତି ଅପେକ୍ଷା ଆକାଶ ଅଧିକ ଆଲୋକିତ ରହିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।