FeaturedLatestSports

ଟେନିସକୁ ଅଲବିଦା କହିଲେ ସାନିଆ ମିର୍ଜା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସାନିଆ ମିର୍ଜା ଆଜି ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍‌ ମ୍ୟାଚ୍‌ରେ ‘ରନର୍‌-ଅପ୍‌’ ହୋଇ ତାଙ୍କ ଟେନିସ୍‌ କ୍ୟାରିୟର୍‌ର ପରିସମାପ୍ତି କରିଛନ୍ତି। ପୂର୍ବରୁ ସାନିଆ ଅଷ୍ଟ୍ରେଲିଆ ଓପନ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ସେ ମ୍ୟାଚ୍‌ ସରିବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଟେନିସକୁ ଅଲବିଦା କହିଛନ୍ତି। ସାନିଆ ତାଙ୍କ ଦୀର୍ଘ ବର୍ଷର ଟେନିସ କ୍ୟାରିୟର ମଧ୍ୟରେ ୬ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଏଥିରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ରହିଛି।

ସାନିଆ ନିଜର ବିଦାୟୀ ଭାଷଣରେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ “ରୋହନ ହେଉଛନ୍ତି ମୋର ପ୍ରଥମ ମିକ୍ସଡ ଡବଲ୍ସ ପାର୍ଟନର। ମାତ୍ର ୧୪ ବର୍ଷ ବୟସରେ ଆମେ ଏକାଠି ଖେଳି ଟୁର୍ଣ୍ଣାମେଣ୍ଟ ଜିତିଥିଲୁ। ପ୍ରାୟ ୨୨ ବର୍ଷ ତଳେ ମୁଁ କେବେ ଭାବି ନଥିଲି ଯେ ମୋତେ ଏମିତି ଜଣେ ସାଥୀ ଖେଳାଳି ମିଳିବେ। ସେ ମୋର ଜଣେ ଭଲ ବନ୍ଧୁ ଓ ସାଥୀ ଖେଳାଳି। ତାଙ୍କ ସହ ମୁଁ ମୋର କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବା ସହ ଫାଇନାଲରେ ପ୍ରବେଶ କରିଥିଲି।”

୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟତମ ଭାରତୀୟ ଷ୍ଟାର ରୋହନ ବୋପାନ୍ନାଙ୍କୁ ସାଥୀ କରି ସାନିଆ ଅଷ୍ଟ୍ରେଲିଆ ଓପନରେ ନିଜର ଦମ ଦେଖାଇଥିଲେ। ତେବେ ଫାଇନାଲ ମ୍ୟାଚ୍‌ରେ ଏହି ଭାରତୀୟ ଯୋଡ଼ିଙ୍କୁ ହାରିବାକୁ ପଡ଼ିଛି। ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସ ଫାଇନାଲ ମ୍ୟାଚ୍‌ରେ ସାନିଆ-ବୋପାନ୍ନା ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ଭାରତୀୟ ଯୋଡ଼ି ପ୍ରଥମ ସେଟ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ୬-୭(୨)ରେ ହାରିଥିଲେ। ସେହିପରି ଦ୍ୱିତୀୟ ସେଟକୁ ଷ୍ଟେଫାନି ଓ ରାଫେଲ ଯୋଡ଼ି ୬-୨ରେ ବାଜିମାତ କରିଥିଲେ।