EntertainmentFeaturedLatest

ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା ଘଟଣାରେ ପ୍ରେମିକ ସମର ସିଂ ଗିରଫ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା ଘଟଣାରେ ଭୋଜପୁରୀ ଗାୟକ ତଥା ଅଭିନେତ୍ରୀଙ୍କ ପ୍ରେମିକ ସମର ସିଂଙ୍କୁ ପୋଲିସ ଗିରଫ କରିଛି । ଗାଜିଆବାଦର ନନ୍ଦିଗ୍ରାମ ଥାନା ଅଞ୍ଚଳରୁ ପୋଲିସ ସମରକୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତକୁ ଗାଜିଆବାଦର ସିଜେଏମ କୋର୍ଟରେ ହାଜର କରାଯାଇଥିବା ବେଳେ ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଛି ।

ସୂଚନା ଅନୁସାରେ, ମାର୍ଚ୍ଚ ୨୬ ତାରିଖ ଅପରାହ୍ନରେ ବାରାଣସୀର ଏକ ହୋଟେଲରେ ଫାଶୀ ଲଗାଇ ଅଭିନେତ୍ରୀ ଆକାଂକ୍ଷା ଦୁବେ ଜୀବନ ହାରିଥିଲେ। ହେଲେ ପରେ ଆକାଂକ୍ଷାଙ୍କ ମା’ ବାରାଣସୀରେ ପହଞ୍ଚିବା ପରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା କହିଥିଲେ। ଆକାଂକ୍ଷାଙ୍କ ମା’ ମଧୁ ଦୁବେ ଭୋଜପୁରୀ ଗାୟକ ତଥା ଅଭିନେତ୍ରୀଙ୍କ ପ୍ରେମିକ ସମର ସିଂ ଏବଂ ତାଙ୍କ ଭାଇ ସଞ୍ଜୟ ସିଂଙ୍କ ଉପରେ ହତ୍ୟା ଆରୋପ ଲଗାଇଥିଲେ। ଏବେ ତାଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ସମର ସିଂହଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା । ଆକାଂକ୍ଷାଙ୍କ ମା’ ହତ୍ୟା ଅଭିଯୋଗ ଆଣିବା ପରେ ସମର ଫେରାର ହୋଇଯାଇଥିଲେ।

ତେବେ ମୃତ ଆକାଂକ୍ଷା ଦୁବେଙ୍କ ମା’ ମଧୁ ଦୁବେଙ୍କ କହିବାନୁସାରେ, ସମର ସିଂ ଏବଂ ସଞ୍ଜୟ ସିଂ, ଆକାଂକ୍ଷାଙ୍କ ଦ୍ବାରା କୋଟି କୋଟି ଟଙ୍କାର କାମ କରାଇବା ପରେ ଟଙ୍କା ଦେଉନଥିଲେ। ତିନି ବର୍ଷ ବିତିଥିଲେ ବି ଆକାଂକ୍ଷାଙ୍କୁ ଦୁଇ ଭାଇ ଟଙ୍କା ଦେଇନଥିଲେ। ଟଙ୍କା ମାଗିବା ପରେ ମାର୍ଚ୍ଚ ୨୧ରେ ସଞ୍ଜୟ ସିଂ ଆକାଂକ୍ଷାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ, ଯାହା ବିଷୟରେ ଆକାଂକ୍ଷା ନିଜେ ମୋତେ ଫୋନ କରି ଜଣାଇଥିଲେ।