Districts

ବଳଦଟଣା ଉନ୍ନତକୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକମେଳା

ବାଲିଆପାଳ ୦୯।୦୩: ( ସଂକେତ ଟିଭି) ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମାସଡ଼ା ଗ୍ରାମଠାରେ ବଳଦଟଣା ଉନ୍ନତ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା ବସ୍ତା ବ୍ଲକ ସହକାରୀ କୃଷି ଯନ୍ତ୍ରୀ ଇଂ ତନ୍ମୟୀକା ଦାଶଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ଶତାଧିକ ଅଗ୍ରଣୀ ଚାଷୀ ଯୋଗଦେଇଥିଲେ । ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ଉପସ୍ଥିତ ଚାଷୀମାନଙ୍କୁ ପ୍ରକଳ୍ପ ତରଫରୁ ବିକଶିତ ଉନ୍ନତକୃଷି ଯନ୍ତ୍ରପାତି ଯଥା ଓୟୁଏଟି ମୋଡ ପତ୍ର ଲଙ୍ଗଳ, ଉନ୍ନତ ଜୁଆଳି, ମଂଜିବୁଣା ଯନ୍ତ୍ର, କାଦୁଅ କରିବା ଯନ୍ତ୍ର ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରକଳ୍ପ ତରଫରୁ ଅନେକ ତାଲିମ ଶିବିର, କ୍ଷେତ୍ର ପ୍ରଦର୍ଶନୀ, କୃଶକ ମେଳା ଇତ୍ୟାଦିର ଆୟୋଜନ କରାଯାଇ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ ଏହିସବୁ ଉନ୍ନତ ଯନ୍ତ୍ରପାତିର ବ୍ୟବହାରିକ ଜ୍ଞାନ କୌଶଳ ସମ୍ବନ୍ଧରେ ଜ୍ଞାନପ୍ରଦାନ କରାଯାଉଛି ବୋଲି ପ୍ରଫେସର ସ୍ୱାଇଁ ସୂଚନା ଦେଇଥିଲେ ।

ସହକାରୀ କୃଷି ଅଧିକାରୀ ଜାଜ୍ଞ ଦତ୍ତ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ସୁନୀଲ କୁମାର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କରିବାଦ୍ୱାରା କମ ସମୟରେ, ସୁବିଧାରେ,କମ ଖର୍ଚରେ, କାମ ପରିଶ୍ରମରେ ବିଭିନ୍ନ ଚାଷକାମ କରାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ । ପ୍ରକଳ୍ପ ତରଫରୁ ଅନେକ ଗୁଡିଏ ଉନ୍ନତ କୃଷି ଯନ୍ତ୍ରପାତି, ପଟଚିତ୍ର ଆଦି ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଆଜିକାଲି ଚାଷ ପାଇଁ ଲୋକବଳର ଅଭାବ ଓ ବର୍ଦ୍ଧିତ ମଜୁରିଦରକୁ ନଜର ରଖି ଆଧୁନିକ କୃଷି ଯନ୍ତ୍ରପାତିକୁ ସଠିକ ଭାବରେ ବ୍ୟବହାର କରିବା ଏକାନ୍ତ ଆବଶ୍ୟକ ବୋଲି ସମସ୍ତ ଚାଷୀଭାଇମାନେ ଏକମତ ହୋଇଥିଲେ ।

କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଚତୁର୍ଥ ବାର୍ଷିକ ଛାତ୍ର ସର୍ଫରଜ ମହମ୍ମଦ, ସୋର ବ୍ଲକର ସହକାରୀ କୃଷି ଯନ୍ତ୍ରୀ ଇଂ ସଞ୍ଜୟ କୁମାର ଶିଅଳ କରୋନା ମହାମାରୀ ସମୟରେ ସାମାଜିକ ଦୂରତ୍ୱ ରକ୍ଷାକରି ଆୟୋଜିତ ହୋଇଥିବା ଏହି କୃଷି ମେଳାକୁ ସମସ୍ତ ଚାଷୀଭାଇମାନେ ବେଶ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ପ୍ରକଳ୍ପ ତରଫରୁ ବିକଶିତ ଉନ୍ନତ ବଳଦ ଟଣା କୃଷି ଯନ୍ତ୍ରପାତି ବ୍ୟବହାର କରିଲେ ଚାଷୀମାନଙ୍କର ଆର୍ଥିକ ଓ ସାମାଜିକ ଅବସ୍ଥାରେ ଯଥେଷ୍ଟ ଅଗ୍ରଗତି ହୋଇପାରିବ ବୋଲି ସIଧାରଣରେ ମତ ପ୍ରକାଶ ପାଇଥିଲା ।