ପେଶାରେ ଜଣେ ସାମ୍ବାଦିକ, ନିଶା ନୂଆ ନୂଆ ଚାଷ କରିବା
ଭଦ୍ରକ (ସଂକେତ ଟିଭି): ପେଶାରେ ଜଣେ ସାମ୍ବାଦିକ ନିଶା ନୂଆ ନୂଆ ଚାଷ କରିବା। ମାଛ ହେଉ ତ’ ପନିପରିବା ଅବା ଫଳ ସବୁ ଚାଷରେ ବେଶ ସିଦ୍ଧହସ୍ତ ହେଉଛନ୍ତି ସାମ୍ବାଦିକ ରତିକାନ୍ତ ପାଢ଼ୀ। ବିଶେଷକରି ବିଦେଶୀ ଫଳ ଚାଷ ତାଙ୍କୁ ନୂଆ ପରିଚୟ ଦେଇଛି। ନିଜ ବାଡିର ଏକର ଜମିରେ ଡ୍ରାଗନ ଫ୍ରୁଟସ, ତାଇୱାନ ପିଜୁଳି ଚାଷ କରି ଯୁବପିଢ଼଼଼ୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ଖାଲି ଏତିକି ନୁହେଁ, ଓଡ଼ିଶା ଜଳ ବାୟୁରେ ୪୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ସହିପାରୁଥିବା ଏଚଆରଏମଏନ-୯୯ ଆପେଲ ଗଛ ଲଗାଇ ଫଳ ଫଳାଇବାକୁ ଉଦ୍ୟମ କରିଛନ୍ତି। ଏହାବାଦେ ଲୋଙ୍ଗାନ, ପ୍ଲାମ, ପର୍ସିମନ, ଆଭାକାଡୋ, ଆପ୍ରିକଟ, ମେଙ୍ଗୋଷ୍ଟିନ, ୱାଲନଟ, ପିଚ୍, ଆପଲ ବେର, ବ୍ଲୁ ବେରୀ, ବ୍ଲାକ ବେରୀ, ଚାରି ପ୍ରକାରର ଅଙ୍ଗୁରୁ ଭଳି ୧୪ ପ୍ରକାର ବିଦେଶୀ ଫଳ ଗଛ ଲଗାଇଛନ୍ତି। ବର୍ଷସାରା ଅମଳ ଦେଉଥିବା ମଞ୍ଜି ବିହୀନ ଲେମ୍ବୁ ଗଚ ମଧ୍ୟ ଲଗାଇଛନ୍ତି। ସବୁଠାରୁ ବଡକଥା, ଜୈବିକ ପଦ୍ଧତିରେ ଏହି ଚାଷ କରୁଛନ୍ତି ବାସୁଦେବପୁର ଚାଷୀ ରତିକାନ୍ତ।
ବାସୁଦେବପୁର ସହର ଉପକଣ୍ଠ ପ୍ରସନ୍ନ ଦେବଙ୍କ ମନ୍ଦିର ନିକଟସ୍ଥ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ପୁଅ ରତିକାନ୍ତ। ଜଣେ ଉଚ୍ଚ ଶିକ୍ଷିତ ଆଉ ବେଶ ଉଦ୍ୟମୀ। ପାଠପଢା ଶେଷ ପରେ ବାସୁଦେବପୁର ସହରରେ ଛୋଟିଆ ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ୟବସାୟରୁ ମାଛ ଚାଷ ପ୍ରତି ମନ ବଳିଥିଲା। ଏହି ଚାଷରେ ସଫଳତା ବି ପାଇଥିଲେ। ୧୯୯୭ରେ ତାଙ୍କ ଲକ୍ଷ୍ୟର ଗତିପଥ ବଦଳିଥିଲା। କଟକରେ ରହୁଥିବା ସମୟରେ ଗଣମାଧ୍ୟମକୁ ପ୍ରବେଶ କରିଥିଲେ। ଦୈନିକ ଖବର କାଗଜ ‘ସମ୍ବାଦ’ରେ ଖବର ଲେଖିବାର ସୁଯୋଗ ପାଇଥିଲେ। ପରେ ଦୈନିକ ସମ୍ବାଦପତ୍ର ‘ଖବର’ରେ ବାସୁଦେବପୁର ବ୍ଲକ ପ୍ରତିନିଧି ଭାବେ ବହୁଦିନ କାମ କରିଥିଲେ।
ତାଙ୍କ କାର୍ଯ୍ୟଦକ୍ଷତାରୁ ପୁଣି ତାଙ୍କୁ ‘ଓଟିଭି’ର ବ୍ଲକ ପ୍ରତିନିଧି ଭାବେ କାମ କରିବାର ସୁଯୋଗ ମିଳିଥିଲା। କିଛି ବର୍ଷ କାମ କରିବା ପରେ ବ୍ଲକ ସ୍ତରରୁ ଜିଲା ସ୍ତରରେ କାମ କରିବାର ସୁଯୋଗକୁ ହାତଛଡା କରିନଥିଲେ ଶ୍ରୀ ପାଢ଼ୀ। ‘ଧରିତ୍ରୀ’ର ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଭାବେ କାମକରି ବେଶ ପ୍ରଶଂସା ସାଉଁଟିଥିଲେ। ୨୦୧୩ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମାନସ ସନ୍ତାନ ‘ସମାଜ’ ଖବର କାଗଜରେ ବାଲେଶ୍ୱରରେ କାମ କରିବାର ସୁଯୋଗ ପାଇଛନ୍ତି।
ସମାଜ ପରିବାର ଭିତରେ କାମକରି ବି ପୁଣି ଚାଷପ୍ରତି ତାଙ୍କର ଆଗ୍ରହ ବଢ଼଼଼ିଛି। ଆଉ ଦେଶୀ ଚାଷ ନକରି ବିଦେଶୀ ଫଳ ଓ ପନିପରିବା ଚାଷ ଆରମ୍ଭ କରିଛନ୍ତି। ଉଦ୍ୟାନ କୃଷି ବିଭାଗର ସହଯୋଗରେ ବିଦେଶୀ ଫଳ ଚାଷ କରିଛନ୍ତି। ଅନଲାଇନ ଜରିଆରେ ବିଦେଶୀ ଫଳ ବିଷୟରେ ଜାଣିବାପରେ ବିଭିନ୍ନ ସ୍ଥାନରୁ ଚାରା ଓ ମଞ୍ଜି ସଂଗ୍ରହକରି ଫଳ ଚାଷ ଆରମ୍ଭ କରିଛନ୍ତି। ଲାଭଦାୟକ ଆଉ ଉପକାରୀ ଡ୍ରାଗନଫୁଡ୍ସ ଚାରା ଲଗାଇଛନ୍ତି।
ଏହି ଚାରା ଲଗାଇବାର କୌଶଳ ସ୍ୱତନ୍ତ୍ର ରହିଛି। ୫/୭ ଫୁଟ ସିମେଣ୍ଟ ଖୁଣ୍ଟ ଉପରେ ଗୋଲେଇ କଂକ୍ରିଟ ରହିଛି। ଖୁଣ୍ଟ ପାଖରେ ଲାଗିଛି ଡ୍ରାଗନଫୁଡ୍ସ ଚାରା। ସବୁ ଗଛ ମୂଳକୁ ସ୍ୱତନ୍ତ୍ର ଭାବେ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଛି। ନୂତନ ଡ୍ରିପ ଇରିଗେସନ ଭଳି ନୂତନ କୌଶଳ ଜରିଆରେ ସବୁ ଗଛ ମୂଳକୁ ସଂଯୋଜଗ କରିଛନ୍ତି। ବଡ଼ କଥା ହେଉଛି ସ୍ବତନ୍ତ୍ର ଯତ୍ନ ନେଇ ସେ ୧୦ ମାସ ଭିତରେ ଡ୍ରାଗନ ଫ୍ରୁଟସ ଫଳାଇ ପାରିଛନ୍ତି। ନାଲି ରଙ୍ଗର ଫଳ ଦାମିକା ଆଉ ମିଠାଳିଆ। ପାଖାପାଖି ଗୋଟିଏ ଏକର ଜମିରେ ଫଳ ଚାଷ କରିଛନ୍ତି।
ଧାଡି ଧାଡିହୋଇ ଲାଗିଥିବା ଡ୍ରାଗନଫୁଡ୍ସ ଗଛ ମଝିରେ ଲଗାଇଛନ୍ତି ତାଇୱାନ ପିଜୁଳି। ୨୦୦ରୁ ଊର୍ଦ୍ଧ ଗଛ ଲାଗିଛି। ୪/୫ ଫୁଟ ଉଚ୍ଚତା ଗଛର ଫଳିଛି ଆଖିଲାଖିଜିବାପରି ପିଜୁଳି। ୫ ରୁ ୭ କେଜି ପିଜୁଳି ଫଳିଛି। ଏହାବାଦେ ୪ ମାସରେ ଫୁଲ ଆଉ ୬ ମାସରେ ଅମଳ ହେଉଥିବା ୫୦ ଟି ସଜନାଗଛ ଲଗାଇଛନ୍ତି। ୪ କିସମର ଅଙ୍ଗୁର ସହିତ ୧୪ ପ୍ରକାର ବିଦେଶୀ ଫଳ ଗଛ ଲଗାଇଛନ୍ତି। କଳା ରଙ୍ଗର ଅମଳ ଆସିବା ବିଲାତି ଗଛ ଲଗାଇଛନ୍ତି। ଏହି ସବୁ ଗଛରେ ଜିଆଖତ, ନିମ ଓ ସୋରିଷ ପିଡିଆ ଆଉ ଗୋବର, ଚୁନ ବ୍ୟବହାର କରୁଛନ୍ତି।
ନିଜର ସାମ୍ବାଦିକ ପେଶା ମଧ୍ୟରେ ଚାଷକୁ ନିଶା କରିଛନ୍ତି ରତିକାନ୍ତ। ଟିକିଏ ସମୟ ପାଇଲେ ଘରକୁ ଧାଇଁଆସି ଆସି ଚାଷ ଦେଖୁଛନ୍ତି। ସମସ୍ତ ଚାଷକୁ ଯତ୍ନ ନେବା ପାଇଁ ଜଣେ ସ୍ଥାୟୀ କର୍ମଚାରୀ ରହିଛନ୍ତି। ସର୍ବୋପରି ନିଜର ପରିବାର ସଦସ୍ୟ ଏହି ଚାଷରେ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଥିବା କହିଛନ୍ତି ରତିକାନ୍ତ। ସମସ୍ତ ଫଳ ଆଉ ଗଛକୁ ମାଙ୍କଡମାନଙ୍କ ଦାଉରୁ ରକ୍ଷା କରିବାକୁ ଝଟକା ମେସିନ ବ୍ୟବହାର କରିଛନ୍ତି ଶ୍ରୀ ପାଢ଼ୀ। ଫଳରେ ମାଙ୍କଡ଼ ଉପଦ୍ରବ ଅଞ୍ଚଳରେ ମାଙ୍କଡ଼ମାନେ ଅଞ୍ଚଳକୁ ବି ଆସୁ ନାହାନ୍ତି। ଏହା ସହ ଛେଳି, ମେଣ୍ଢା, ଗୋରୁଗାଇ ମଧ୍ୟ ଆସୁ ନାହାନ୍ତି ଚାଷ ଜମିକୁ। ସାମ୍ବାଦିକତା ପେଶା ଭିତରେ ବିଦେଶୀ ଫଳ ଚାଷ ରତିକାନ୍ତଙ୍କୁ ଯେତିକି ଖୁସି ଆଉ ରୋଜଗାର ଦେବ ଯୁବପିଢୀ ମାନଙ୍କ ପାଇଁ ସେତିକି ପ୍ରେରଣାଦାୟୀ ହୋଇ ପାରିବ।