FeaturedLatestSports

ଟି-୨୦ ବିଶ୍ଵକପ୍ ୨୦୨୪ ଖେଳିବା ନେଇ ସଙ୍କେତ ଦେଲେ ରୋହିତ ଶର୍ମା

ମୁମ୍ବାଇ (ସଂକେତ ଟିଭି): ହିଟ୍ ମ୍ୟାନ ରୋହିତ ଶର୍ମା ଟି-୨୦ ବିଶ୍ଵକପ୍ ୨୦୨୪ ଖେଳିବା ନେଇ ସଙ୍କେତ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଆଜି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିଶ୍ଵକପ୍ ୨୦୨୩ ଫାଇନାଲ୍‌ ପରେ ସେ ପ୍ରଥମ ଥର ମିଡିଆ ସହ ଆଲୋଚନା କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି, ମୋ ସାମ୍ନାରେ ଯାହା ବି ଅଛି ତାହା ମୁଁ ଖେଳୁଥିବା ଦେଖିବାକୁ ପାଉଛି। ରୋହିତଙ୍କ ଏହି ବୟାନରୁ ଏହା ଆପାତତଃ ସ୍ପଷ୍ଟ ହୋଇ ଯାଉଛି ଯେ, ୨୦୨୪ ଟି-୨୦ ବିଶ୍ଵକପ୍ ଖେଳି ପାରନ୍ତି। ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ କେଏଲ ରାହୁଲଙ୍କ ଉପରେ ରୋହିତ ଭରସା ପ୍ରକଟ କରିଛନ୍ତି ।

ରୋହିତ କହିଛନ୍ତି ରାହୁଲ ନମ୍ବର ୪ ଏବଂ ୫ରେ ଭଲ ବ୍ୟାଟିଂ କରନ୍ତି। ଟେଷ୍ଟରେ ସେ ଓ୍ଵିକେଟ୍ କିପିଂ କରି ପାରନ୍ତି। ମୋତେ ଏହା ଜଣା ଯେ, ସେ ଓ୍ଵିକେଟ୍ ପଛରେ କେତେ ସମୟ ଛିଡ଼ା ହୋଇ ପାରନ୍ତି। ରୋହିତ ଭାରତର ମୁଖ୍ୟ ବୋଲର ମହମ୍ମଦ ଶାମିଙ୍କୁ ନେଇ କହିଛନ୍ତି, ଗତ ୫ରୁ ୭ ବର୍ଷ ଧରି ଶାମି ବିଦେଶ ମାଟିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଦଳ ଶାମିଙ୍କ ଅନୁପସ୍ଥିତିକୁ ଅନୁଭବ କରିବ। ଯୁବ ବୋଲର ତାଙ୍କ ସ୍ଥାନ ନେବାକୁ ଚେଷ୍ଟା କରିବେ। କିନ୍ତୁ ତାହା ସେତେଟା ସହଜ ହେବ ନାହିଁ ବୋଲି ରୋହିତ ଶର୍ମା କହିଛନ୍ତି।

ତୃତୀୟ ବୋଲରଙ୍କୁ ନେଇ ସେ କହିଛନ୍ତି ପ୍ରସିଦ୍ଧ କ୍ରିଷ୍ନା ଓ ମୁକେଶ କୁମାର ଭଲ ପ୍ରଦର୍ଶନ କରିଛନ୍ତି। ବୁମରା ଓ ସିରାଜ ଦୁଇ ମୁଖ୍ୟ ବୋଲର ରହିଛନ୍ତି। ଏବେ ଦେଖିବାକୁ ପଡ଼ିବ ଯେ, ଆମକୁ ସୁଇଙ୍ଗ ନା ସିମ୍ ବୋଲର ଦରକାର। ପିଚ୍ ପରଖିବା ପରେ ହିଁ ସଠିକ୍ ସମୟରେ ଏହି ନିଷ୍ପତ୍ତି ନିଆଯିବ ବୋଲି ରୋହିତ କହିଛନ୍ତି।

ଦଳରେ ବର୍ତ୍ତମାନ ଥିବା ଖେଳାଳି ଟେଷ୍ଟ ଖେଳିବାକୁ ଉତ୍ସୁକ। ମୁଁ ସବୁ ଖେଳାଳିଙ୍କ ଆଖିରେ ଜିତିବାର ସ୍ଵପ୍ନ ଦେଖିଛି। ମୁଁ ଚାହୁଁଛି ଖେଳାଳି ଅଧିକରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳନ୍ତୁ। ଟେଷ୍ଟ ଖେଳିଲେ ହିଁ ଖେଳାଳିଙ୍କ ଦକ୍ଷତା ଓ ସାମର୍ଥ୍ୟ ଜଣା ପଡ଼େ ବୋଲି ରୋହିତ କହିଛନ୍ତି।