FeaturedLatestSports

ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଜିତି ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଦଳ

ମୁମ୍ବାଇ (ସଂକେତ ଟିଭି) : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ ହାସଲ କରି ଇତିହାସ ରଚିଛି । ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭାରତୀୟ ମହିଳା ଟିମ୍ ୮ ୱିକେଟ୍‌ରେ ପରାସ୍ତ କରିଛି। ମହିଳା ଟେଷ୍ଟ କ୍ରିକେଟରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଯାହା ଦୀର୍ଘ ୪୬ ବର୍ଷ ଧରି ହୋଇନଥିଲା ତାହା ଆଜି ହୋଇଛି ।

ୱ।ଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୨୧୯ ରନ୍‌ରେ ସୀମିତ ରଖିବାରେ ସଫଳ ହୋଇଥିଲେ । ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୪୦୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୭୮ ରନ୍ କରିଥିବା ବେଳେ ମନ୍ଧାନା ୭୪ ଓ ରଡ୍ରିଗଜ ୭୩ ରନ୍ କରିଥିଲେ । ରିଚା ଘୋଷ ୫୨ ଓ ପୂଜା ଭସ୍ତ୍ରାକର ୪୭ ରନ୍ କରିଥିଲେ। ୧୮୭ ରନର ବୃହତ ଅଗ୍ରଣୀ ନେଇଥିବାରୁ ଭାରତ ପାଇଁ ବିଜୟ ସହଜ ହୋଇଥିଲା ।

ମ୍ୟାଚର ଆଜି ଚତୁର୍ଥ ତଥା ଶେଷ ଦିନରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ୨୬୧ରେ ଶେଷ ହୋଇଥିଲା । ଫଳରେ ପ୍ରଥମ ଇନିଂସରେ ୧୮୭ ରନରେ ଅଗ୍ରଣୀ ନେଇଥିବା ଭାରତୀୟ ଦଳ ପାଇଁ ଅଷ୍ଟ୍ରେଲିଆ ମାତ୍ର ୭୫ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଭାରତ ଏହି ଲକ୍ଷ୍ୟକୁ ମାତ୍ର ଦୁଇ ୱିକେଟ ହରାଇ ହାସଲ କରିନେଇଥିଲା । ଓପ୍ନର ଶେଫାଳି ବର୍ମା ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ସ୍ମୃତି ମନ୍ଧାନା ଓ ରିଚା ଘୋଷ ଦ୍ୱିତୀୟ ୱିକେଟରେ ୫୧ ରନ୍ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ରିଚା ୧୩ ରନ୍ କରି ଆଉଟ୍ ହୋଇଥିଲେ। ଓପ୍ନର ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗଜ ଆଉ କୌଣସି କ୍ଷତି ନ ହେବାକୁ ଦେଇ ବିଜୟ ପାଇଁ ବାକି ରନ୍ ସଂଗ୍ରହ କରି ନେଇଥିଲେ। ହରମନପ୍ରୀତ କୌରଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ୮ ୱିକେଟରେ ଏକ ବୃହତ ଓ ଐତିହାସିକ ବିଜୟ ହାସଲ କରିଥିଲା ।