FeaturedLatestNews

୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ଯୋଗାଯିବ ପାଣି : ମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ୨୦୨୪ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହା କହିଛନ୍ତି ।

ବିଧାନସଭାର ଦ୍ୱିତୀୟ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାକୁ ନେଇ ଗୃହରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ପାନୀୟ ଜଳ ସମସ୍ୟାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଖୋଦ ବିଭାଗୀୟ ମନ୍ତ୍ରୀଙ୍କ ଅଞ୍ଚଳରେ ବି ଲୋକେ ପାନୀୟ ଜଳରୁ ବଞ୍ଚିତ ହେଉଥିବା ସେ ଅଭିଯୋଗ କରିଛନ୍ତି । ନରସିଂହ ମିଶ୍ର ଏବଂ ମୋହନ ମାଝୀ ତଥା ଗୃହର ଅନ୍ୟ ସଦସ୍ୟଙ୍କ ପ୍ରଶ୍ନର ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଛି । ତେବେ ଯେଉଁଠି ଉତ୍ସ କି ଜମି ସମସ୍ୟା ରହିଛି ସେଠାରେ ୨୦୨୫ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସରିବ । ସେ କହିଛନ୍ତି, ମାର୍ଚ୍ଚ ୨୦୨୩ ସୁଦ୍ଧା ୫୮ ପ୍ରତିଶତ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଦିଆଯାଇଛି । ଯେଉଁଠି ପାଇପ ନାହିଁ କି କାମ ଜାରି ରହିଛି, ସେଠାରେ ଜିଲ୍ଲାପାଳ, ପିଡି ଡିଆରଡିଏ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନୂଆ ଟ୍ୟୁବୱେଲ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ଜନବସତିରେ ଅତିରିକ୍ତ ଟ୍ୟୁୱେଲ ଲଗାଯିବ । ଯେଉଁଠି ୭୦ ଲୋକଙ୍କ ଜନସଂଖ୍ୟା ଅଛି, ସେଠାରେ ବି ନୂଆ ଟ୍ୟୁବୱେଲ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।