FeaturedGeneralLatestPolitics

କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର

ଲକ୍ଷ୍ନୌ (ସଂକେତ ଟିଭି) : ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର ଶାସ୍ତ୍ରୀ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ବିଭାକର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଏଥିରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦ ତ୍ୟାଗ କରିଥିବା ଉଲ୍ଲେଖ କରିଛନ୍ତି। ଅପରପଟେ ସେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ଯୋଗ ଦେବା ପରେ ଶାସ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲାଲବାହାଦୂର ଶାସ୍ତ୍ରୀଙ୍କ ‘ଜୟଜବାନ ଜୟକିସାନ’ ଦୃଷ୍ଟିକୋଣକୁ ଆହୁରି ମଜଭୁତ କରି ଦେଶର ସେବା କରିପାରିବି। ସେ କହିଛନ୍ତି ଯେ ମୋ ଲାଗି ବିଜେପିର ଦ୍ୱାର ଖୋଲିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେ.ପି.ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି।

ବିଭାକର ଶାସ୍ତ୍ରୀ କହିଛନ୍ତି ଯେ ‘ଇଣ୍ଡିଆ’ ମେଣ୍ଟର କୌଣସି ବିଚାରଧାରା ନାହିଁ। ସେମାନଙ୍କ ଉଦ୍ଦେଶ୍ୟ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହଟାଇବା। ତେବେ କଂଗ୍ରେସର ବିଚାରଧାରା କଣ ତାହା ରାହୁଲ ଗାନ୍ଧି ପ୍ରଥମେ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ବିଭାକର କହିଛନ୍ତି।