FeaturedGeneralLatestPolitics

କଂଗ୍ରେସର ସମସ୍ତ ଆକାଉଣ୍ଟ ହେଲା ଫ୍ରିଜ୍, ଘଣ୍ଟାଏ ପରେ ପୁଣି ହେଲା ସଚଳ

ନୂଆଦିଲ୍ଲୀ (ସଂକେତ ଟିଭି) ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କଂଗ୍ରେସ ଏବଂ ଯୁବ କଂଗ୍ରେସର ସମସ୍ତ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଥିଲେ । ଏହାସହିତ କଂଗ୍ରେସ ଉପରେ ୨୧୦ କୋଟି ଟଙ୍କାର ଆୟକର ପେନାଲ୍‌ଟି ଲଗାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ନେତା ଅଜୟ ମାକନ ଏହି ସୂଚନା ଦେଇଛନ୍ତି ।

ସେପଟେ ଆୟକର ବିଭାଗ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେବା ନେଇ ଅଭିଯୋଗ ଆଣିବାର ଘଣ୍ଟାଏ ମଧ୍ୟରେ ସଚଳ ହେଲା କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ । ତେବେ ଏହି ମାମଲାର ଶୁଣାଣି ଆସନ୍ତା ଫେବୃଆରୀ ୨୧ ତାରିଖରେ ଆଇଟି ଟ୍ରିବ୍ୟୁନାଲରେ କରାଯିବ ।

ଏକାଉଣ୍ଟ ଅଚଳ ହେଲା ପରେ ମାକନ କହିଥିଲେ ଯେ ଏବେ କର୍ମଚାରୀଙ୍କୁ ବେତନ ଓ ଅଫିସ୍ ବିଜୁଳି ବିଲ୍ ଦେବାକୁ କଂଗ୍ରେସ ପାଖରେ ପଇସା ନାହିଁ । ଫଳରେ ଭୋରତ ଯୋଡୋ ନ୍ୟାୟ ଯାତ୍ରା ସହିତ କଂଗ୍ରେସର ଅନେକ ପୋଗ୍ରାମ୍ ପ୍ରଭାବିତ ହୋଇଛି । ଆଗକୁ ନିର୍ବାଚନ ଥିବା ବେଳେ କେନ୍ଦ୍ର ସରକାର ଜାଣିଶୁଣି ଏଭଳି କରୁଛନ୍ତି ବୋଲି ମାକନ୍ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଅଜୟ ମାକନ କହିଛନ୍ତି, କଂଗ୍ରେସର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରି ଦିଆଯାଇଛି । ଦେଶରେ ଏକ ପ୍ରକାର ଅର୍ଥନୈତିକ ତାଲାବନ୍ଦୀ ହୋଇଛି । ଗଣତନ୍ତ୍ର ଫ୍ରିଜ୍ ହୋଇଛି । ନିର୍ବାଚନ ତାରିଖ ଘୋଷଣାକୁ ଆଉ ମାତ୍ର ବାକି କେଇଟା ଦିନ ଥିବା ବେଳେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କହିଛନ୍ତି । ଆକାଉଣ୍ଟ ଫ୍ରିଜ୍ କରିବା ସହିତ ଆୟକର ବିଭାଗ ୨୧୦ କୋଟି ଟଙ୍କା ରିକଭରୀ ଦାବି କରିଛି ।

୨୦୧୮-୧୯ ଆର୍ଥିକ ବର୍ଷରେ ଇନକମ୍ ଟ୍ୟାକ୍ସ ଫାଇଲିଂ ଆଧାରରେ କଂଗ୍ରେସ ଉପରେ ଆୟକର ବିଭାଗ କୋଟି କୋଟି ଟଙ୍କାର ପେନାଲଟି ଲଗାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଏହା ଲୋକତନ୍ତ୍ରର ହତ୍ୟା ବୋଲି କଂଗ୍ରେସ ନେତା କହିଛନ୍ତି । କଂଗ୍ରେସ ପାର୍ଟି ମେମ୍ବରସିପ୍ ଡ୍ରାଇଭ୍ ଜରିଆରେ ଯୁବ କଂଗ୍ରେସ ଟଙ୍କା ଯୋଗାଡ଼ କରୁଛି, ହେଲେ ତାକୁ ବି ଫ୍ରିଜ୍ କରିଦିଆଯାଇଛି ।

ମାକନ କହିଛନ୍ତି, ପାର୍ଟି ରିଟର୍ଣ୍ଣ ଫାଇଲ୍ କରିବାକୁ ସାମାନ୍ୟ ବିଳମ୍ବ କରିଥିଲେ । ଧାର୍ଯ୍ୟ ଦିନ ଠାରୁ ଆହୁରି ୪୫ ଦିନ ସମୟ ମଧ୍ୟ ଥିଲା । ଏହାର ମାନେ ନୁହେଁ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରିଦିଆଯିବ । ଏହା ଦ୍ବାରା କଂଗ୍ରେସର ସବୁ କିଛି ପ୍ରଭାବିତ ହୋଇଛି । ବ୍ୟାଙ୍କରୁ ପାଇସା ଉଠାଇ ହେଉନଥିବାରୁ କର୍ମାଚାରୀଙ୍କୁ ବେତନ ଦେବା, ବିଜୁଳି ବିଲ୍ ଭରି ସମ୍ଭବ ହୋଉନାହିଁ ବୋଲି ମାକନ କହିଛନ୍ତି ।

ସେପଟେ ଆୟକର ବିଭାଗ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେବା ନେଇ ଅଭିଯୋଗ ଆଣିବାର ଘଣ୍ଟାଏ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ସଚଳ ହୋଇଥିଲା । ତେବେ ଏହି ମାମଲାର ଶୁଣାଣି ଆସନ୍ତା ଫେବୃଆରୀ ୨୧ ତାରିଖରେ ଆଇଟି ଟ୍ରିବ୍ୟୁନାଲରେ କରାଯିବ । ଆଇଟି ଟ୍ରିବ୍ୟୁନାଲରୁ ଆଶ୍ବସ୍ତି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଘେରିଛନ୍ତି । ସେ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ନରେନ୍ଦ୍ର ମୋଦିଜୀ, ଆପଣ ଡରନ୍ତୁ ନାହିଁ । ଧନକୁ ନେଇ ନୁହେଁ ବରଂ ଜନକୁ ନେଇ ଶକ୍ତିଶାଳୀ କଂଗ୍ରେସ ପାର୍ଟି । ଏକଛତ୍ରବାଦ ଶାସନ ଆଗରେ ଆମେ କେବଳ ମୁଣ୍ଡ ନୁଆଁଇ ନାହୁଁ ଏବଂ ଭବିଷ୍ୟତରେ ମଧ୍ୟ କେବେ ନୁଆଁଇବୁ ନାହିଁ । ଭାରତର ଲୋକତନ୍ତ୍ରକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରାଣ ପଣେ ଚେଷ୍ଟା କରିବେ ।