BusinessLatestNews

ଚୌଦ୍ବାରରେ ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି। ସେଠାରେ ୱେଲସ୍ପନ ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ ପାର୍କ ନିର୍ମିତ ହେବ । ପ୍ରକଳ୍ପ ପାଇଁ ୩ ହଜାର କୋଟି ଟଙ୍କା ନିବେଶ ହେବ । ୧୦ ହଜାର ଲୋକଙ୍କୁ ମିଳିବ ପ୍ରତ୍ୟେକ୍ଷ ନିଯୁକ୍ତି ।

ସୂଚନା ଅନୁସାରେ, ୱେଲସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନୀ। ଚୌଦ୍ୱାରରେ ଏହା ଏକ ଇଣ୍ଟିଗ୍ରେଟେଡ୍‌ ଟେକ୍ସଟାଇଲ ମାନୁଫାକ୍ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପ୍ଲେକ୍ସ ନିର୍ମାଣ କରୁଛି। ଏଥିପାଇଁ କମ୍ପାନୀ ୩,୦୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛି। ଏହା ଦ୍ୱାରା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ବ୍ୟାପାର କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହେବା ସହିତ ରାଜ୍ୟର ଶିଳ୍ପ ବାତାବରଣରେ ଉନ୍ନତି ଆସିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଶିଳ୍ପ ଦ୍ବାରା ଆମର କଳାହାଣ୍ଡି, ବଲାଙ୍ଗୀର, ରାୟଗଡା ଓ ଗଜପତି ପରି ଜିଲ୍ଲାର କପା ଚାଷୀ ମାନେ ମଧ୍ୟ ଉପକାର ପାଇବେ। ବୟନ ଶିଳ୍ପରେ ମା ମାନଙ୍କ ପାଇଁ ବହୁତ ସୁଯୋଗ ଅଛି ବୋଲି ମତ ଦେଇ ସେ କହିଥିଲେ ଯେ ସେମାନଙ୍କର ଦକ୍ଷତା ବିକାଶ କରାଯାଇ ସେମାନଙ୍କର ନିଯୁକ୍ତି ପାଇଁ ବହୁତ ସୁଯୋଗ ଆସିବ।

ୱେଲସ୍ପନ ଗ୍ରୁପ ସାରା ପୃଥିବୀର ଏକ ପ୍ରସିଦ୍ଧ ପ୍ରସିଦ୍ଧ ବୟନ ଶିଳ୍ପ କମ୍ପାନୀ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଉରୋପ, ଆମେରିକା ପରି ବିଶ୍ବର ଧନୀ ଦେଶ ମାନଙ୍କୁ ଏହାର ସାମଗ୍ରୀ ବହୁ ସଂଖ୍ୟାରେ ରପ୍ତାନୀ ହୁଏ । ଏପରି କମ୍ପାନୀ ଓଡିଶାକୁ ଆସିବା, ବହୁତ ଖୁସିର କଥା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚୌଦ୍ବାରରେ ଏହି କମ୍ପାନୀ ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ।

ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ବି.କେ. ଗୋଏଙ୍କା କହିଲେ ଯେ ଏହି ପ୍ରକଳ୍ପ ଦ୍ୱାରା ୧୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସହିତ ୨୦ ହଜାର ପରୋକ୍ଷ ନିଯୁକ୍ତି ମିଳିବ।

ରାଜ୍ୟ ସରକାର ଓଟିଏମର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି । ପର୍ଯ୍ୟାୟକ୍ରମେ କମ୍ପାନୀକୁ ବାକି ଜମି ମଧ୍ୟ ଯୋଗାଇଦେବେ ସରକାର ।