FeaturedGeneralLatestPolitics

ଦିଲ୍ଲୀରେ ଆପ୍ ଓ କଂଗ୍ରେସ ମଧ୍ୟରେ ଆସନ ବୁଝମଣା ଚୂଡାନ୍ତ

ନୂଆଦିଲ୍ଲୀ (ସଂକେତ ଟିଭି) : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ସିଟ୍ ସେୟାରିଂ ଫର୍ମୂଲା ଯାହା ଆସିଛି ସେଇ ଅନୁସାରେ, ଦିଲ୍ଲୀରେ ଆପ୍ ୪ଟି ଆସନରେ ଲଢିବ ଏବଂ କଂଗ୍ରେସକୁ ବଳକା ୩ଟି ଆସନ ଛାଡିପାରେ । ଦିଲ୍ଲୀରେ ମୋଟ ଲୋକସଭା ଆସନ ୭ ।

ଆମ୍ ଆଦମୀ ପାର୍ଟି ଦକ୍ଷିଣ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ନୂଆ ଦିଲ୍ଲୀ ଓ ପଶ୍ଚିମ ଦିଲ୍ଲୀ ଆସନରେ ନିର୍ବାଚନ ଲଢିବ । ଅପରପକ୍ଷେ, ଉତ୍ତର ପୂର୍ବ, ଚାନ୍ଦିନୀ ଚୌକ ଏବଂ ପୂର୍ବ ଦିଲ୍ଲୀ ଆସନରେ କଂଗ୍ରେସ ପ୍ରତିଦ୍ବନ୍ଦିତା କରିବ । ତେବେ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ମଧ୍ୟରେ ଦୀର୍ଘ ଦିନ ଧରି ଛକାପଞ୍ଝା ପରେ ଶେଷରେ ଏହାର ସମାଧାନ ହୋଇଛି ।

ସେହିପରି ହରିୟାଣାରେ କଂଗ୍ରେସ ଆପ୍‌କୁ ଗୋଟିଏ ସିଟ୍ ଏବଂ ଗୁଜୁରାଟରେ ୨ଟି ସିଟ୍ ଦେବ ବୋଲି ଚୂଡାନ୍ତ ହୋଇଥିବା ସୂତ୍ରରୁ ଖବର ମିଳିଛି । ଏନେଇ ଖୁବଶୀଘ୍ର ଆନୁଷ୍ଠାନିକ ଘୋଷଣା ହେବ । ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାର ଦିନକ ପରେ ଦିଲ୍ଲୀରେ ଏହି ଭାଗବଣ୍ଟା ତୁଟିଛି ।

କିଛି ଦିନ ଭିତରେ ଇଣ୍ଡିଆ ମେଣ୍ଟକୁ ଦୁଇଟି ବଡ ଝଟକା ଲାଗିଥିଲା । ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କଲେ, ଟିଏମସି ପଶ୍ଚିମବଙ୍ଗରେ ଏକାକୀ ଲୋକସଭା ନିର୍ବାଚନ ଲଢିବ । କୌଣସି ସହଯୋଗୀ ଦଳ ସହ ଆସନ ଭାଗବଣ୍ଟା ହେବନି । ଏହାପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ମେଣ୍ଟରୁ ସମ୍ପର୍କ ତୁଟାଇ ଏନଡିଏକୁ ଫେରିଥିଲେ ।