FeaturedLatestNewsPolitics

୫-ଟି ଅଧ୍ୟକ୍ଷଙ୍କୁ ଗଞ୍ଜାମରେ ଟମାଟୋ ମାଡ଼

ବ୍ରହ୍ମପୁର (ସଂକେତ ଟିଭି) ୫-ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ଗଞ୍ଜାମ ଜିଲା ବେଲଗୁଣ୍ଠାଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଟମାଟୋ ମାଡ଼ ହୋଇଛି। ଟମାଟୋ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ଜଣେ କର୍ମୀ ବୋଲି କୁହାଯାଉଛି।

ସୂଚନାନୁଯାୟୀ, ଅପରାହ୍ନରେ ୫ଟି ଅଧ୍ୟକ୍ଷ ପାଣ୍ଡିଆନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବେଲଗୁଣ୍ଠାରେ ଓହ୍ଲାଇଥିଲେ। ସେଠାରୁ କାର୍ଯ୍ୟକ୍ରମସ୍ଥଳକୁ ଯିବା ବେଳେ ହଠାତ୍‌ ଜଣେ ଯୁବକ ପଶି ଆସି ତାଙ୍କୁ ଟମାଟୋ ଫିଙ୍ଗିଥିଲେ। ଉପସ୍ଥିତ ସୁରକ୍ଷୀ କର୍ମୀ ଓ ପୋଲିସ ସଂପୃକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ। ପରେ ପୋଲିସ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି।

ସେପଟେ ଏହି ସଭାରେ ଉଦବୋଧନ ଦେଇ ପାଣ୍ଡିଆନ କହିଛନ୍ତି ମୋ ଉପରେ ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କରନ୍ତୁ। କିଛି ପରବାୟ ନାହିଁ। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ ସେବା କରିଚାଲିବି। ଅନେକ ଲୋକ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ। ମାତ୍ର ମୁଁ ସେପରି ଲୋକ ନୁହେଁ। ଲୋକଙ୍କ ସେବା କରିଚାଲିବି।

ସେ କହିଛନ୍ତି ସେ ଗତଥର ସୋରଡା ଆସିବାବେଳେ ୪୪୦ଟି ଦରଖାସ୍ତ ପାଇଥିଲେ। ସେଥିରୁ ୪୦୦ଟି ସମସ୍ୟାର ସମାଧାନ ହୋଇଛି। ଅବଶିଷ୍ଟ ଦରଖାସ୍ତ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପିପଳପଙ୍କା ଜଳପ୍ରକଳ୍ପ ଲାଗି ୧ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ବେଲଗୁଣ୍ଠା ସାଇନସ କଲେଜର ଉନ୍ନତି ଲାଗି ୨କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସୋରଡା ଋଷିକୁଲ୍ଯା କଲେଜ ଲାଗି ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସୋରଡା ଡିଗ୍ରୀ ଓ ଜୁନିଅର କଲେଜ ଲାଗି ୧ କୋଟି ୯ ୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ବେଲଗୁଣ୍ଠା ଓ ସୋରଡାର ସବୁ କଲେଜର ରୂପାନ୍ତରଣ ଲାଗି ଟଙ୍କା ମଞ୍ଜୁର ହୋଇସାରିଛି।