FeaturedLatestNewsPolitics

ଓଡିଶା ଗସ୍ତରେ ରାଜନାଥ ସିଂ, କଂଗ୍ରେସକୁ କଲେ ଟାର୍ଗେଟ, ବିଜେଡିକୁ ନେଇ ନୀରବ

ନବରଙ୍ଗପୁର (ସଂକେତ ଟିଭି) : ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ନବରଙ୍ଗପୁରରେ ଆୟୋଜିତ ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇ
ଆଗାମୀ ଦିନରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ ନବରଙ୍ଗପୁରରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ବିଜେପି କୋର୍ କମିଟି ବୈଠକରେ ସେ ଯୋଗ ଦେଇଛନ୍ତି । ଏହି ସଭାରେ ମୋଦି ସରକାରଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଛନ୍ତି । ସେହିପରି ଆଗକୁ ଓଡ଼ିଶାରେ ଏକାଠି ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ନେଇ ପ୍ରତି ହିତାଧିକାରୀଙ୍କ ପାଖରେ ପହଞ୍ଚିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ରାଜନାଥ ଆହ୍ବାନ କରିଛନ୍ତି ।

ସାଧାରଣ ସଭାରେ ଉଦବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସହ ତାଙ୍କର ଭାବନାତ୍ମକ ସମ୍ପର୍କ ରହିଛି । ଓଡ଼ିଶା ସହ ଆମ ସରକାର କେବେ ଭେଦଭାବ କରିନି । ଏଠାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ ବଢିଛି । କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିବା ବେଳେ ଗତ ୧୦ ବର୍ଷରେ ମୋଦି ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି । ଓଡ଼ିଶାରେ କଂଗ୍ରେସ ସରକାର ଅମଳରେ କେବଳ ଶିଳାନ୍ୟାସ ହେଉଥିଲା । ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହେଁ, କାର୍ଯ୍ୟ ପୂରଣ କରୁଛନ୍ତି । ଯେଉଁଠି ଶିଳାନ୍ୟାସ, ସେଇଠି କାମ ସାରି ଉଦଘାଟନ ବି କରୁଛନ୍ତି ।

ସେ କହିଛନ୍ତି ଯେ, ବିଜେପି ଏକମାତ୍ର ପାର୍ଟି ଯାହା କୁହେ, ତାହା କରେ । ଯାହା ଘୋଷଣାପତ୍ରରେ କହିଥିଲୁ ସେସବୁ ପୂରଣ କରିଛୁ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା, ତିନ୍ ତଲାକ ଉଠାଇବାକୁ କହିଥିଲୁ, ଆମେ ଆମ କଥା ରଖିଲୁ । ଆମେ ରାଜନୀତି କରୁଛି କେବଳ ଦେଶ ଗଠନ ପାଇଁ ।

ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ ଲମ୍ବା ସମୟ ଧରି ଦେଶବାସୀଙ୍କୁ ଧକ୍କା ଦେଇଛି । ମୋଦି ସରକାର ଆସିବା ପରେ ୨୫ କୋଟି ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି । ୧୧ କୋଟି ଲୋକଙ୍କ ପାଇଁ ଶୌଚାଳୟ ଓ ୪ କୋଟି ଘରକୁ ପକ୍କା ଘର ମିଳିଛି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି । ଜନତାଙ୍କ ସେବା କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକମାତ୍ର ଉଦ୍ଦେଶ୍ୟ । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ଦରକାର ବୋଲି ସେ କହିଛନ୍ତି । ତେବେ ନିଜ ବକ୍ତବ୍ୟରେ ବିଜେଡି ସରକାର ବିରୋଧରେ ପ୍ରତିରକ୍ଷା ମନ୍ତ୍ରୀ ପଦୁଟିଏ ମୁହଁ ଖୋଲି ନାହାନ୍ତି ।

ନବରଙ୍ଗପୁରରେ କୋର୍ କମିଟି ବୈଠକ ସାରି ପ୍ରତିରକ୍ଷା ମନ୍ତ୍ରୀ ସାଢେ ୧୨ଟା ବେଳେ ବ୍ରହ୍ମପୁରକୁ ଯାଇଥିଲେ । ସେଠାରେ ଆମ୍ବପୁଆ ସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ବ୍ରହ୍ମପୁର କାର୍ଯ୍ୟକ୍ରମ ପରେ ରାଜନାଥ ସ୍ବତନ୍ତ୍ର ହେଲିକପ୍ଟଟ ଯୋଗେ ବାରିପଦା ଯାଇ ସେଠାରେ ମଧ୍ୟ ବିଜେପିର କୋର୍ କମିଟି ବୈଠକରେ ଯୋଗ ଦେଇଥିଲେ ।