FeaturedLatestNewsPolitics

ବିଜେପିରେ ସାମିଲ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର (ସଂକେତ ଟିଭି): ବିଜେପିରେ ଯୋଗ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉସାଣ୍ଡି ଏବଂ ସାଂସଦ ଅପରାଜିତ ଷଡଙ୍ଗୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବରୁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ସେ ପଦ୍ମ ଧରିଛନ୍ତି । ପ୍ରଶାନ୍ତ ଜଗଦେବଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ତଥା ବିଜେଡି ବ୍ଲକ ସଭାପତି ଅନାଦି ସାହୁ, ବିଜେଡି ନେତା ଭବାନୀ ଜଗଦେବ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୌରୀ ସାହୁ, ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶୁଭାଙ୍ଗୀ ଡାକୁଆଙ୍କ ସହ ବହୁ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି।

ପ୍ରଶାନ୍ତ ଜଗଦେବ ୨୦୧୪ ନିର୍ବାଚନରେ ବିଜେଡି ଟିକେଟରୁ ବେଗୁନିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୧୯ ମସିହାରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇ ସେ ବିଧାୟକ ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କୁ ଆଦର୍ଶ କରି ରାଜନୀତିରେ ପ୍ରବେଶ କରିଥଲେ ପ୍ରଶାନ୍ତ । କେତେବେଳେ ବିରୋଧୀଙ୍କୁ ଆକ୍ରମଣ ତ ଆଉ କେତେବେଳେ ସର୍ବସାଧାରଣରେ ଅଶ୍ଳୀଳ ଭାଷା ପ୍ରୟୋଗ କରି ଚର୍ଚ୍ଚାରେ ରହିଛନ୍ତି । ଖାଲି ସେତିକି ନୁହେଁ ନିଜର ରାଜନୈତିକ ବିରୋଧୀଙ୍କୁ ଶାରୀରିକ ଆକ୍ରମଣ ସହ ଗାଡି ଚଢାଇ ହତ୍ୟା ଉଦ୍ୟମ ଅଭିଯୋଗ ମଧ୍ୟ ତାଙ୍କ ନାମରେ ରହିଛି । ଏଥିପାଇଁ ସେ ଆଇନଗତ ଓ ଦଳୀୟ କାର୍ଯ୍ୟାନୁଷ୍ଠାନର ମଧ୍ୟ ସମ୍ମୁଖୀନ ହୋଇଛନ୍ତି ।

ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି, ମୁଁ ଆଜି ବିଜେପିରେ ଯୋଗ ଦେଇଛି । ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ମୁଁ ବିଜୁ ଜନତା ଦଳରେ ରହିଥିବା ସମୟରେ ମଧ୍ୟ ସମ୍ମାନ ଜଣାଉଥିଲି । ଭାରତବର୍ଷ ପାଇଁ ଏଭଳି ଏକ ପ୍ରଧାନମନ୍ତ୍ରୀଙ୍କର ଆବଶ୍ୟକତା ରହିଛି । ଏକଥା ମୁଁ ବାହାରକୁ ଜଣାଇ ପାରୁନଥିଲେ ମଧ୍ୟ ଅନ୍ତରରୁ ମୁଁ ପ୍ରଧାନମନ୍ତ୍ରୀଙ୍କ ସମ୍ମାନ କରେ । ସେ ଲୋକଙ୍କର ହିତ ପାଇଁ ଅନେକ ଜନମଙ୍ଗଳକାରୀ କାର୍ଯ୍ୟ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଜନସାଧାରଣଙ୍କୁ ପ୍ରଭାବିତ କରିଛି । ଆଗରୁ ନବୀନ ପଟ୍ଟନାୟଙ୍କ ପାଇଁ ଅନେକ କାର୍ଯ୍ୟ କରିଛି । ସେ ମଧ୍ୟ ମୋତେ ସମ୍ମାନ ଦେଇଛନ୍ତି । କିନ୍ତୁ ଆମ ମାନଙ୍କୁ ସୁରକ୍ଷା ଦେବା ପାଇଁ ନବୀନ ପଟ୍ଟନାୟକ ଆଜି ସେହି ଅବସ୍ଥାରେ ନାହାନ୍ତି । ବର୍ତ୍ତମାନ ସେ ରାଜନୀତିରୁ ନିବୃତ୍ତ ରହିବା ଦରକାର । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ହେବାର ଆବଶ୍ୟକତା ରହିଛି ।