FeaturedGeneralLatestPolitics

ବିଜେପି ଟିକେଟ ଫେରାଇଦେଲେ ଭୋଜପୁରୀ ଅଭିନେତା ପୱନ ସିଂ

ନୂଆଦିଲ୍ଲୀ (ସଂକେତ ଟିଭି) ଭୋଜପୁରୀ ଅଭିନେତା ପୱନ ସିଂ ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ଲୋକସଭା ନିର୍ବାଚନ ପାଇଁ ବିଜେପି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏହି ତାଲିକାରେ ବିଜେପି ଭୋଜପୁରୀ ଗାୟକ ତଥା ଅଭିନେତା ପୱନ ସିଂଙ୍କୁ ଆସାନସୋଲ ଆସନରୁ ପ୍ରାର୍ଥୀ କରିଥିଲା। କିନ୍ତୁ ଆଜି ପୱନ ସିଂ ଏହି ଆସନରୁ ନିର୍ବାଚନ ଲଢିବେ ନାହିଁ ବୋଲି ମନା କରିଦେଇଛନ୍ତି।

ରବିବାର ପୱନ ସିଂ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଆସାନସୋଲରୁ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ବିଜେପିର ଶୀର୍ଷ ନେତୃତ୍ୱକୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ଦଳ ମୋତେ ବିଶ୍ୱାସ କରି ଆସାନସୋଲରୁ ପ୍ରାର୍ଥୀ ଘୋଷଣା କଲା, କିନ୍ତୁ କୌଣସି କାରଣରୁ ମୁଁ ଆସାନସୋଲରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ ।

ଶନିବାର ଦିନ ଯେତେବେଳେ ପାର୍ଟି ତାଙ୍କ ନାମ ଘୋଷଣା କରିଥିଲା ​​ସେତେବେଳେ ପୱନ ସିଂ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦଳର ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଲେଖିଥିଲେ ଯେ ଦଳ ତାଙ୍କୁ ବିଶ୍ବାସ କରି ଟିକେଟ ଦେଇଛି। ସେ ଆସାନସୋଲର ଲୋକଙ୍କୁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହ ସେବା କରିବେ। କିନ୍ତୁ ହଠାତ ଆଜି ଆସାନସୋଲ ଆସନରୁ ନିର୍ବାଚନ ଲଢିବାକୁ ମନା କରିବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି।

ବିଜେପି ପକ୍ଷରୁ ଗତକାଲି ପ୍ରକାଶିତ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଆସାନସୋଲରୁ ପୱନ ସିଂ, ଉତ୍ତର ପୂର୍ବ ଦିଲ୍ଲୀର ମନୋଜ ତିୱାରୀ, ୟୁପିରେ ଗୋରଖପୁରର ରବି କିଶନ, ୟୁପିରେ ଆଜମଗଡରୁ ଦୀନେଶ ଲାଲ ଯାଦବ ନିରୁହୁଙ୍କୁ ଟିକେଟ୍ ଦିଆଯାଇଛି।