LatestNews

ରାଜ୍ୟରେ ବିଏସ୍‌କେୱାଇ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ବିଏସ୍‌କେୱାଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଂଟନ କରାଯାଇଛି । ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ପାଇବେ । ଆଜିଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ ପହିଲା ଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ। ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

ସୂଚନାଯୋଗ୍ୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ଭାଗ ହେବେ, କ୍ୟାସ୍‌ଲେସ୍‌ ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଆହୁରି ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ।

ରାଜ୍ୟର ପ୍ରତି ବ୍ଲକସ୍ତରରେ ୧୦୦ଟି ଲେଖାଏଁ କାର୍ଡ ବାଂଟିବାର ବ୍ୟବସ୍ଥା ହୋଇଛି । ଏହି କାର୍ଡ ପାଇଁ ବର୍ତମାନ ସୁଦ୍ଧା ୪ ଲକ୍ଷ ୮୧ ହଜାର ୪୮୧ ହିତାଧିକାରୀ ଆବେଦନ କରିଛନ୍ତି । ସେମାନଙ୍କ ଯାଂଚ ପ୍ରକ୍ରିୟା ଜାରି ରହିଛି । ଡିଆରଡିଏ ଅଧିକାରୀ ଚୟନ ହୋଇଥିବା ହିତାଧିକାରୀଙ୍କ ପରିଚୟପତ୍ର ଯାଂଚ କରିବା ପରେ କାର୍ଡ ବଂଟନ କରାଯାଉଛି । ଏହି କାର୍ଡ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ଚିକିତ୍ସାଳୟରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି ।

କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକରେ ରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଯୋଗ ଦେଇ କହିଲେ ଯେ 5T ରେ କାର୍ଯ୍ୟକାରୀ ହେଉଥିବା BSKY ହେଉଛି ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ଆଜି ଗ୍ରାମାଞ୍ଚଳର ସବୁ ବଞ୍ଚିତ ହିତାଧିକାରୀ ଏଥିରେ ସାମିଲ ହେଲେ। 5T ହେଉଛି ମୁଖ୍ୟମନ୍ତ୍ରୀଙ୍କ ଓଡିଶାର ଉନ୍ନତି କଳ୍ପନା। ଲୋକଙ୍କୁ ସେବା ଦେବାର କଳ୍ପନା। ଆଜି 5T ମନ୍ତ୍ର ଉପରେ ରାଜ୍ୟବାସୀଙ୍କ ଆସ୍ଥା ବଢିଛି। ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ଗ୍ରାମାଞ୍ଚଳର BSKY Card ପାଇବାରୁ ବହୁ ବଞ୍ଚିତ ଲୋକ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରତିଟି ଜୀବନ ମୂଲ୍ୟବାନ ଆଦର୍ଶରେ ଅନୁପ୍ରାଣିତ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ଏହି ନବୀନ କାର୍ଡ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ବଲପୁର ବାମଡା ବ୍ଲକରେ ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, କୁଚିଣ୍ଡାରେ ବିଧାୟକ କିଶୋର ଚନ୍ଦ୍ର ନାୟକ, ରେଢାଖୋଲରେ ବିଧାୟକ ରୋହିତ ପୁଜାରୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜିକା ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର, ବୋଲଗଡରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧାରେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀରାଣୀ ଗୁମାନ ସିଂ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ସବୁ କ୍ଷେତ୍ରରେ ଆମ ରାଜ୍ୟ ଆଗକୁ ବଢିଛି। ସମାଜର ସବୁଠାରୁ ତଳ ଧାଡିରେ ରହୁଥିବା ବ୍ୟକ୍ତିର କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଇଥାନ୍ତି। BSKY ଆଜି ରାଜ୍ୟବାସୀଙ୍କ ପାଇଁ ସଞ୍ଜିବନୀ ସଦୃଶ୍ୟ ହୋଇଛି। ସ୍ୱାସ୍ଥ୍ୟସେବା ଓ ରାଜ୍ୟର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଓଡିଶାବାସୀ ସବୁବେଳେ ମନେ ରଖିବେ ବୋଲି ସେମାନେ କହିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ BSKY Society ର CEO ଧନ୍ୟବାଦ ଅର୍ପଣ କରିଥିଲେ।