FeaturedLatestNewsPolitics

ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା, ନବୀନ ନିବାସରେ ବିଜେଡିର ଜରୁରୀ ବୈଠକ

ଭୁବନେଶ୍ବର (ସଂକେତ ଟିଭି) : ନିର୍ବାଚନ ପୂର୍ବରୁ ଓଡିଶା ରାଜନୀତି ସରଗରମ । ଓଡ଼ିଶା ବିଜେପି ନେତା ଦିଲ୍ଲୀରେ ପହଞ୍ଚି ଥିବାବେଳେ ନବୀନ ନିବାସରେ ବିଜେଡିର ବୈଠକ ଅନୁଷ୍ଠିତ ହୋଇଛି । ଅପରାହ୍ନରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ବୈଠକ ହୋଇଛି।

ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଅରୁଣ ସାହୁ, ସୁଶାନ୍ତ ରାଉତ, ଅଶୋକ ପଣ୍ଡା ଉପସ୍ଥିତ ଅଛନ୍ତି। ସେହିପରି ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ସଂଜୟ ଦାସବର୍ମା, ମାନସ ମଙ୍ଗରାଜ, ପ୍ରଦୀପ ଅମାତ, ପ୍ରଣବ ପ୍ରକାଶ ଦାସ, ସସ୍ମିତ ପାତ୍ର, ଦେବୀ ମିଶ୍ର ଉପସ୍ଥିତ ଅଛନ୍ତି।

ଗତ କିଛି ଦିନ ହେବ ଉଭୟ ଦଳ ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ରାଜ୍ୟ ବିଜେପି ସଭାପତି ମନମୋହନ ମେଣ୍ଟ ହେବନି ବୋଲି କହିବା ସହ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ସେହିଭଳି ବିଜେପି ଏହି ମେଣ୍ଟ ଚର୍ଚ୍ଚା ବଢାଉଥିବା ନେଇ ବିଜେଡି କହିଥିଲା। କୌଣସି ମେଣ୍ଟ ହେବନି ବୋଲି ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ତେବେ ଗତକାଲି ଚଣ୍ଡିଖୋଲରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡିକୁ ଆଦୌ ଟାର୍ଗେଟ ନ କରିବା ଏହି ମେଣ୍ଟ ଚର୍ଚ୍ଚାକୁ ଆହୁରି ବଢାଇଥିଲା।

ତେବେ ନିର୍ବାଚନରେ ମେଣ୍ଟ ନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ଦଳୀୟ ନେତାଙ୍କ ସହ ଆଲୋଚନା କରି ଏଥିରେ ମୋହର ମାରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଦିଲ୍ଲୀରେ ରାଜ୍ୟ ନେତୃତ୍ୱଙ୍କ ସହ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା କରିବାକୁ ଥିବା ବେଳେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ନବୀନ। ଆଲୋଚନା ପରେ ମେଣ୍ଟ ହେବା ନେଇ ସ୍ପଷ୍ଟ ସୂଚନା ମିଳିପାରେ।