FeaturedLatestNewsPolitics

କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା

ନୂଆଦିଲ୍ଲୀ (ସଂକେତ ଟିଭି) : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୁଣି କଂଗ୍ରେସକୁ ଫେରିଛନ୍ତି। ସେ ଦିଲ୍ଲୀରେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ତାଙ୍କୁ କଂଗ୍ରେସର ଓଡିଶା ପ୍ରଭାରୀ ଅଜୟ କୁମାର ଦଳକୁ ସ୍ବାଗତ କରିଛନ୍ତି ।

ଏହି ଅବସରରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି ଯେ ଶ୍ରୀକାନ୍ତ ଜେନା ଓଡିଶାର ଜଣେ ବରିଷ୍ଠ ରାଜନେତା । ତାଙ୍କର ପତିଆରା ରହିଛି । ଦଳ ଓ ତାଙ୍କ ଭିତରେ କିଛି ଭୁଲ ବୁଝାମଣା ଯୋଗୁଁ ସେ ଦଳଠାରୁ ଦୂରେଇ ଯାଇଥିଲେ । ସେ ଦଳକୁ ଆସିବା ପରେ ଓଡିଶାରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ।

ଶ୍ରୀକାନ୍ତ ଜେନା କହିଛନ୍ତି ଯେ ସେ ଦଳଠାରୁ ଦୂରେଇ ଯାଇଥିଲେ ମଧ୍ଯ ସେ ଦଳ ପାଇଁ କାମ କରୁଥିଲେ । ଏବଂ ସବୁ ସମୟରେ ବିଜେଡି ଓ ବିଜେପି ସହିତ ଲଢେଇ କରୁଥିଲେ । ବିଜେଡି ଓ ବିଜେପି ମଧ୍ଯରେ ଏକ ଅଘୋଷିତ ମେଣ୍ଟ ଚାଲିଥିବା ସମୟରେ କଂଗ୍ରେସ ତାର ପତିଆରା ବଢାଇବା ବର୍ତ୍ତମାନ ସମୟ ପାଇଁ ଅତି ଜରୁରୀ ହୋଇପଡିଛି ।

ଶ୍ରୀକାନ୍ତ ଜେନା ତିନିଥର ବିଧାୟକ ଏବଂ ଚାରିଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଗୁଜୁରାଲ, ଦେବଗୈଡା ଏବଂ ମନମୋହନ ସିଂ ପ୍ରଧାନମନ୍ତ୍ରୀତ୍ବ ବେଳେ କେନ୍ଦ୍ରମନ୍ତ୍ରୀ ଥିଲେ। ସେ ପର୍ଯ୍ୟଟନ, ସାର ଓ ରସାୟନ, କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରହିଛନ୍ତି। ସେ ଏକଦା ବିଜୁବାବୁଙ୍କର ଅତି ଘନିଷ୍ଠ ବ୍ୟକ୍ତି ଭାବେ ପରିଚିତ ଥିଲେ। ୨୦୧୯ରେ ବିଏସପିରେ ଯୋଗ ଦେଇଥିଲେ।