FeaturedLatestNewsPolitics

ବିଜେଡିରେ ଯୋଗଦେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ

ଭୂବନେଶ୍ବର (ସଂକେତ ଟିଭି) : କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡିରେ ସାମିଲ ହୋଇଛନ୍ତି । ରବିବାର ସେ ଶଙ୍ଖ ଭବନରେ ମୋନିଦୀପା ସର୍ଖେଲ ଆଜି ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିରେ ମିଶିବା ପରେ ସେ ପାରାଦ୍ୱୀପରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ତେବେ ବିଜେଡିରେ ସାମିଲ ହେବା ପରେ ମୋନିଦୀପା କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ । ତାଙ୍କ କାର୍ଯ୍ୟଧାରା ଓ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶିଛି । ତେବେ ଦଳରେ ତାଙ୍କୁ ସାମିଲ କରାଇଥିବାରୁ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5-T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏବଂ ଦଳୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରମିକ ନେତା ବାପି କଂଗ୍ରେସ ଦଳରୁ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। ୫୦ହଜାରରୁ ଅଧିକ ଭୋଟ ପାଇଥିବା ବାପି ନିର୍ବାଚନରେ ପରାଜିତ ହେବାପରେ କଂଗ୍ରେସଠାରୁ ଦୂରେଇ ଯାଇଥିଲେ। ବିଗତ ପୌର ନିର୍ବାଚନରେ ସେ ‘ଆମ ପାରାଦ୍ୱୀପ ଆମ ପ୍ରଗତି ’ ନାମରେ ନୂଆ ସଙ୍ଗଠନ ଗଠନ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ଏହି ସଙ୍ଗଠନ ବିଜେଡି ଓ ବିଜେପିକୁ ପଛରେ ପକାଇ ୧୯ଟି ପାରିଷଦ ଆସନ ମଧ୍ୟରୁ ୯ଟି ଆସନ ହାତେଇଥିଲା। ଏମିତିକି ତାଙ୍କ ସଙ୍ଗଠନ ପୌର ଉପାଧ୍ୟକ୍ଷ ପଦ ମଧ୍ୟ ପାଇଥିଲା। ଦୀର୍ଘଦିନର ନୀରବତା ପରେ ରାଜନୈତିକ ମୈଦାନକୁ ତାଙ୍କ ପତ୍ନୀ ଦୀପା ସର୍ଖେଲ ଗୋଡ଼ କାଢିଛନ୍ତି।