FeaturedGeneralLatest

ନିର୍ବାଚନୀ ବଣ୍ଡ ତଥ୍ୟ ପ୍ରକାଶ କଲେ ନିର୍ବାଚନ ଆୟୋଗ

ଭୂବନେଶ୍ବର (ସଂକେତ ଟିଭି) : ଭାରତୀୟ ନିର୍ବାଚନ ଆୟୋଗ ଉଚ୍ଚତମ ନ୍ୟାୟାଳୟଙ୍କ ଠାରୁ ପାଇଥିବା ନିର୍ବାଚନୀ ବଣ୍ଡ ତଥ୍ୟକୁ ରବିବାର ସାର୍ବଜନୀନ କରିଛନ୍ତି। ଏହି ସମସ୍ତ ତଥ୍ୟ ୨୦୧୯ ନିର୍ବାଚନ ପୂର୍ବର ବୋଲି କୁହାଯାଉଛି। ଏହାର ପର ସମୟର ତଥ୍ୟକୁ ଆୟୋଗ ଗୁରୁବାର ପ୍ରକାଶ କରିଥିଲେ।

ଉଚ୍ଚତମ ନ୍ୟାୟାଳୟର ରେଜିଷ୍ଟ୍ରି ସିଲ୍ କଭରରେ ଥିବା ଏକ ପେନ୍ ଡ୍ରାଇଭରେ ଡିଜିଟାଇଜଡ୍ ରେକର୍ଡ ସହିତ ହାର୍ଡ କପି ଆୟୋଗକୁ ପ୍ରଦାନ କରିଥିଲେ। ଆୟୋଗ ଏହି ରେକର୍ଡକୁ ନିଜର ୱେବସାଇଟରେ ଅପଲୋଡ୍ କରିଛନ୍ତି। ୱେବସାଇଟରେ ନିର୍ବାଚନ ବଣ୍ଡ ଅପଲୋଡ଼ ଖବର ଆୟୋଗ ଏକ ବିବୃତ୍ତିରେ କହିଛନ୍ତି।

ଲୋକ ସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପରେ ଆୟୋଗ ଏହି ତଥ୍ୟ ପ୍ରକାଶ କରିଛନ୍ତି। ଏପ୍ରିଲ ୧୯ ତାରିଖରୁ ଜୁନ ୧ ତାରିଖ ମଧ୍ୟରେ ସାତୋଟି ପର୍ୟ୍ୟାୟରେ ନିର୍ବାଚନ ଆୟୋଜିତ ହେବ। ସଦ୍ୟ ପ୍ରକାଶିତ ତଥ୍ୟରେ କେବଳ ବଣ୍ଡର ତାରିଖ, ନାମ, ବଣ୍ଡ ସଂଖ୍ୟା, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖା ପ୍ରଦାନ, ପ୍ରାପ୍ତ ତାରିଖ ଏବଂ ଋଣ ତାରିଖର ପ୍ରାଥମିକ ତଥ୍ୟ ଦର୍ଶାଯାଇଛି। ଏହା ବଣ୍ଡର ଅନନ୍ୟ ସଂଖ୍ୟା ପ୍ରକାଶ କରେ ନାହିଁ।

ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବାଠାରୁ ରାଜନୈତିକ ଦଳଗୁଡ଼ିକୁ ଏଥିରୁ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି। ଏଥିରୁ ଏକ ସିଂହଭାଗ ଶାସକ ଦଳ ବିଜେପିକୁ ମିଳିଥିଲା। ସୁପ୍ରିମକୋର୍ଟ ଉକ୍ତ ଯୋଜନାକୁ ରଦ୍ଦ କରିଦେବା ବିଜେପି ପାଇଁ ବଡ଼ ଝଟକା।

ନିର୍ବାଚନ କମିଶନ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପାଖରେ ଥିବା ତଥ୍ୟ ଅନୁଯାୟୀ ଗତ ଆର୍ଥତ୍କ ବର୍ଷ ସୁଦ୍ଧା ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାରେ ୧୨,୦୦୦ କୋଟି ଟଙ୍କାରୁ ଅଧିକ ପାଇଥିବାବେଳେ ସେଥିରୁ ଶାସକ ବିଜେପିର ଭାଗ ଥିଲା ୫୫ ପ୍ରତିଶତ ବା ୬,୫୬୫ କୋଟି ଟଙ୍କା।

ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ମୋଟ ଚାନ୍ଦାର ୯୦ ପ୍ରତିଶତରୁ ଅଧିକ ଉକ୍ତ ବଣ୍ଡ୍‌ରୁ ପାଇଛନ୍ତି। ତେବେ ମୋଟାମୋଟି ଦେଖିଲେ ଇଲେକ୍ଟୋରାଲ ବଣ୍ଡ୍‌ରୁ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦା ମୋଟ ଆୟର ଅଧାରୁ ଅଧିକ।

ତାଲିକାରେ ଭାଜପା ପଛକୁ ୧୧୨୩ କୋଟି ଟଙ୍କା ସହ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ରହିଛି। ୧୦୯୨ କୋଟି ସହ ତୃଣମୂଳ କଂଗ୍ରେସ ତୃତୀୟରେ, ୭୭୪ କୋଟି ଟଙ୍କା ସହ ବିଜୁ ଜନତା ଦଳ ଚତୁର୍ଥରେ ରହିଛି। ସେହିଭଳି ୬୧୬ କୋଟି ସହିତ ଡିଏମକେ ପଞ୍ଚମରେ, ୩୮୩ କୋଟି ସହ ଟିଆରଏସ ଷଷ୍ଠରେ, ୱାଇଏସଆରସିପି ୩୮୨ କୋଟି ସହିତ ସପ୍ତମରେ, ଟିଡ଼ିପି ୧୪୬ କୋଟି ସହିତ ଅଷ୍ଟମରେ ରହିଛି ।