FeaturedGeneralLatestPolitics

ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ

ନୂଆଦିଲ୍ଲୀ (ସଂକେତ ଟିଭି) : ଆସନ ବୁଝାମଣାରେ ଅସନ୍ତୁଷ୍ଟ ହୋଇ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ‘‘ଆସନ ବଣ୍ଟନ ନେଇ ଆମ ଦଳ ଅନ୍ୟାୟର ସମ୍ମୁଖୀନ ହୋଇଛି।”

ପଶୁପତି ପାରସ ପୂର୍ବରୁ ସୂଚିତ କରିଥିଲେ ଯେ ଯଦି ଆସନ ବଣ୍ଟନରେ ସେ ସନ୍ତୁଷ୍ଟ ନହୁଅନ୍ତି ତ ସେ ଶାସକ ଏନଡିଏରୁ ବାହାରକୁ ଯାଇପାରନ୍ତି। ପଶୁପତି କହିଛନ୍ତି, ସେ ମୋଦୀଙ୍କୁ ସମ୍ମାନ କରନ୍ତି । ୨୦୧୪ ଠାରୁ ତାଙ୍କ ଦଳ ଏନଡିଏରେ ରହିଛି । ହେଲେ ଏବେ ଗୋଟିଏ ବି ଆସନ ନମିଳିବା ଦୁଃଖଦାୟକ ।

ସେ ଏକ୍ସରେ ଟ୍ବିଟ କରି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ପଦରୁ ମୁଁ ଇସ୍ତଫା ଦେଉଛି । ଲୋକସଭା ଆସନ ଭାଗବଣ୍ଟାରେ ଆମ ଦଳ ଅନ୍ୟାୟର ସମ୍ମୁଖୀନ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଛଅ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ମୁଁ କହିଥିଲି ସେତେବେଳ ପର୍ଯ୍ୟନ୍ତ ଅପେକ୍ଷା କରିବି ଯେତେବେଳ ପର୍ଯ୍ୟନ୍ତ ଏନଡିଏ ଆସନ ଘୋଷଣା ନକରିଛି । ମୁଁ ଅତି ସଚ୍ଚୋଟତାର ସହ ଏନଡିଏ ରେ ରହିଛି ଓ କାମ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜଣେ ବଡ ନେତା, କିନ୍ତୁ ଆମ ପାର୍ଟି ଓ ମୋ ପ୍ରତି ଅନ୍ୟାୟ କରାଯାଇଛି । ଏତି ପାଇଁ ମୁଁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।

ସୋମବାର ଦିନ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ବିହାରରେ ଲୋକସଭା ନିର୍ବାଚନ ପାଇଁ ଆସନ ବାଣ୍ଟିବା ସୂତ୍ର ଘୋଷଣା କରି ବିଜେପିକୁ ୧୭ ଟି, ଜେଡି (ୟୁ) କୁ ୧୬ ଟି ଏବଂ ଚିରାଗ ପାସୱାନଙ୍କ ଏଲଜେପି (ରାମ ଭିଲାସ) କୁ ୫ ଟି ସିଟ୍ ପ୍ରଦାନ କରିଛି। ହେଲେ ପାରସଙ୍କ ଦଳକୁ ଗୋଟାଏ ହେଲେ ବି ଆସନ ମିଳିନାହିଁ। ଅନ୍ୟ ଦୁଇ ଏନଡିଏ ସହଯୋଗୀ – ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ଏଚ୍‌ଏଏମ୍‌) ଏବଂ ଉପେନ୍ଦ୍ର କୁଶୱାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ପ୍ରତ୍ୟେକ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।