LatestNewsPolitics

ବାଲେଶ୍ବର ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ଖାରବେଳ ସ୍ବାଇଁ

ବାଲେଶ୍ବର (ସଂକେତ ଟିଭି) : ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ବିଦ୍ରୋହ ଘୋଷଣା କରିଛନ୍ତି। ବାଲେଶ୍ବରରୁ ସ୍ବାଧୀନ ଭାବେ ଲଢିବେ ବୋଲି ଘୋଷଣା କରିଛନ୍ତି ।

ବାଲେଶ୍ବରରେ ଆଜି ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ଏହି ଘୋଷଣା କରିଛନ୍ତି। ବାଲେଶ୍ବରରୁ ସାଂସଦ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇଥିଲେ। ପୂର୍ବରୁ ସେ ବାଲେଶ୍ବରରୁ ଦୁଇଥର ବିଜେପି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଗତକାଲି ବିଜେପିର ଯେଉଁ ୧୮ ଜଣିଆ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି, ସେଥିରେ ଖାରବେଳଙ୍କ ନାଁ ନାହିଁ। ଏଥିରେ ଅସନ୍ତୁଷ୍ଟ ହୋଇ ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡା ହେବା ପାଇଁ ଘୋଷଣା କରିଛନ୍ତି ।
ଖାରବେଳ ସ୍ବାଇଁ କହିଛନ୍ତି, ସେ ସ୍ବାଧୀନ ଭାବେ ବାଲେଶ୍ବର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ବିଜେପିରୁ ଇସ୍ତଫା ନଦେଇ ଲଢ଼ିବି । ସ୍ବାଧୀନ ଭାବେ ଲଢିଲେ ହେଁ ବିଜେପି ପାଇଁ ହିଁ ପ୍ରଚାର କରିବି ବୋଲି ସେ କହିଛନ୍ତି ।

ଖାରବେଳ କହିଛନ୍ତି ଯେ ମୁଁ ବିଜେପିର ପ୍ରକୃତ ନେତା ହୋଇଥିବାରୁ ବିଜେପିକୁ ବିରୋଧ କରିବି ନାହିଁ । ବରଂ ସାଂସଦ ଭାବେ ଜିତିବା ପରେ ସେ ପୁଣି ବିଜେପିରେ ମିଶିଯିବି । ଆଗାମୀ ନିର୍ବାଚନ ପ୍ରଚାରରେ ସେ ଆଡ଼ଭାନୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ରଖି ପ୍ରକୃତ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଅପିଲ କରିବେ ବୋଲି କହିଛନ୍ତି ।