FeaturedGeneralLatest

ସମୂହ ଛୁଟିରେ ଥିବା କର୍ମଚାରୀଙ୍କୁ ବରଖାସ୍ତ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ନୂଆଦିଲ୍ଲୀ (ସଂକେତ ଟିଭି) : ମହଙ୍ଗା ପଡିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀଙ୍କ ସମୂହ ଛୁଟି । ସମସ୍ତଙ୍କୁ ଚାକିରିରୁ ବିଦା କଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍ । ନିଯୁକ୍ତି ସର୍ତ୍ତର ଉଲ୍ଲଂଘନ ଏବଂ ଦୈନଦିନ କାର୍ଯ୍ୟଶୈଳୀରେ ବାଧା ଉପୁଯାଇବାକୁ ନେଇ ଛୁଟିରେ ଥିବା ୨୫ ଜଣ କ୍ରୁ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି ।

ଏୟାରଲାଇନ୍ସ ସୂତ୍ରରୁ ଜଣାପଡିଛି ଯେ, ଯେଉଁମାନଙ୍କୁ ଚାକିରିରୁ ବିଦା କରାଯାଇଛି ସେମାନେ ଡ୍ୟୁଟିକୁ ଆସିନଥିଲେ ଏବଂ ସେମାନଙ୍କର ବ୍ୟବହାର ମଧ୍ୟ ଠିକ ନଥିଲା । ସୂଚନାଥାଉ କି, ଗୋଟିଏ ଦିନରେ ବହୁ କର୍ମଚାରୀ ସମୂହ ଛୁଟିରେ ଚାଲି ଯାଇଥିଲେ । ଫଳରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବାତିଲ କରିବାକୁ ପଡିଥିଲା । ଏହି କାରଣରୁ ବିମାନ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । କର୍ମଚାରୀଙ୍କ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ କମ୍ପାନୀ ଖୁବଶୀଘ୍ର ଏକ ବଡ ବୟାନ ଜାରି କରିପାରେ ।

ସୂଚନା ଅନୁସାରେ, ପରିଚାଳନାଗତ ତ୍ରୁଟି ଅର୍ଥାତ ମ୍ୟାନେଜମେଣ୍ଟ ଠିକ ଭାବେ କାର୍ଯ୍ୟ କରୁନଥିବା ଅଭିଯୋଗ କରି ହଠାତ୍ ଏୟାର ଇଣ୍ଡିଆର ୧୦୦ରୁ ଅଧିକ କ୍ର୍ୟୁ ମେମ୍ବର ଛୁଟିରେ ଯିବା ଫଳରେ ଅନେକ ସମସ୍ୟା ଉପୁଜିଥିଲା । ୯୦ଟି ବିମାନକୁ ବାତିଲ କରିବାକୁ ପଡିଥିଲା । ଫଳରେ ଯାତ୍ରୀ ନାହିଁ ନଥିବା ସମସ୍ୟା ଭୋଗିଥିଲେ । ଏୟାରଇଣ୍ଡିଆର ସିନିୟର କ୍ର୍ୟୁ ମେମ୍ବର ନିଜର ଦାବିକୁ ନେଇ ଏକପ୍ରକାର ହରତାଳ ଆରମ୍ଭ କରିଥିଲେ । ଏନେଇ ଅସୁସ୍ଥତା ଦେଖାଇ ସମୂହ ଛୁଟିରେ ଯାଇଥିଲେ କର୍ମଚାରୀ । ଫଳରେ ଏୟାରଇଣ୍ଡିଆ ଏକ୍ସପ୍ରେସ୍ ଛୁଟିରେ ଯାଇଥିବା କର୍ମଚାରୀଙ୍କୁ ବରଖାସ୍ତ କରିଛି ।