FeaturedLatestNews

ଏଥର ଶୀଘ୍ର ଆସୁଛି ମୌସୁମୀ, ୧୯ରେ ଆଣ୍ଡାମାନ ଛୁଇଁବ

ନୂଆଦିଲ୍ଲୀ (ସଂକେତ ଟିଭି) : ଗତବର୍ଷ ତୁଳନାରେ ଏଥର ମୌସୁମୀ ଶୀଘ୍ର ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଏହାର ସାଧାରଣ ଆଗମନ ତାରିଖ ପୂର୍ବରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହାପରେ ଦେଶର ଅନ୍ୟ ସ୍ଥାନରେ ମୌସୁମୀ ବର୍ଷା ହେବ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମେ’ ୨୨ ର ହାରାହାରି ଆଗମନ ତାରିଖର ତିନି ଦିନ ପୂର୍ବରୁ ମେ’ ୧୯ ସୁଦ୍ଧା ମୌସୁମୀ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବାର ସମ୍ଭାବନା ରହିଛି। ଦେଶରେ ଏଲ-ନିନୋ ସ୍ଥିତି ଦୁର୍ବଳ ହେବାକୁ ଯାଉଛି । ଏହାସହ ଲା-ନିନାର ସ୍ଥିତି ସକ୍ରିୟ ହେଉଛି । ଯାହା ଚଳିତ ବର୍ଷ ମୌସୁମୀ ପାଇଁ ଅନୁକୂଳ । ଏହି କାରଣରୁ ମୌସୁମୀ ସ୍ବାଭାବିକ ସମୟ ପୂର୍ବରୁ ଆସିପାରେ । ଭାରତ ମହାସାଗର ଡାଇପୋଲ୍ (ଆଇଓଡି) ଏବଂ ଲା-ନିନା ପରିସ୍ଥିତି ଏକାସାଙ୍ଗରେ ସକ୍ରିୟ ରହିବ । ଯାହା ମୌସୁମୀ ପାଇଁ ଅନୁକୂଳ । ପୂର୍ବରୁ ଚଳିତ ମୌସୁମୀରେ ଭଲ ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଥିଲା ।

ଆକଳନ କରାଯାଇଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୧ ସୁଦ୍ଧା କେରଳରେ ପ୍ରବେଶ କରିବ, ବଙ୍ଗୋପସାଗରରୁ କେନ୍ଦ୍ରୀୟ ଭାରତ ଆଡକୁ ମୁହାଁଇବ ଏବଂ ମେ’ ୧୯ସୁଦ୍ଧା ଭାରତୀୟ ସୀମାରେ ପହଞ୍ଚିବ। ମହାରାଷ୍ଟ୍ରରେ ମୌସୁମୀ ଜୁନ୍ ୧୦ ସୁଦ୍ଧା ପହଞ୍ଚିପାରେ, ତା’ପରେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଏବଂ ବିହାରରେ ଜୁନ୍ ୧୫ ସୁଦ୍ଧା ପହଞ୍ଚିପାରେ। ଜୁନ୍ ୨୦ ସୁଦ୍ଧା ଗୁଜୁରାଟର ଆଭ୍ୟନ୍ତରୀଣ ଅଞ୍ଚଳ, ମଧ୍ୟପ୍ରଦେଶର କେନ୍ଦ୍ରୀୟ ଅଞ୍ଚଳ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପହଞ୍ଚିବ ବୋଲି ଆଶା କରାଯାଉଛି।

ଜୁନ୍ ୨୫ ସୁଦ୍ଧା ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ କଶ୍ମୀରରେ ଏବଂ ଜୁନ୍ ୩୦ ସୁଦ୍ଧା ରାଜସ୍ଥାନ, ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବରେ ମୌସୁମୀ ପହଞ୍ଚିବ ବୋଲି ଆଶା କରାଯାଉଛି। ଜୁଲାଇ ୮ ସୁଦ୍ଧା ମୌସୁମୀ ସମଗ୍ର ଦେଶରେ ପହଞ୍ଚିବ ବୋଲି ଆଶା କରାଯାଉଛି।