FeaturedGeneralLatestPolitics

ସଂକଟରେ ହରିଆଣା ସରକାର, କଂଗ୍ରେସକୁ ସମର୍ଥନ ଦେଲେ ୩ ସ୍ବାଧୀନ ବିଧାୟକ

ନୂଆଦିଲ୍ଲୀ (ସଂକେତ ଟିଭି) : ହରିଆଣା ସରକାର ଏବେ ସଂକଟରେ ଆସିଯାଇଛି । ୩ ସ୍ବାଧୀନ ବିଧାୟକ ନାୟବ ସିଂହ ସାଇନି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏହା ସହିତ ସେମାନେ କଂଗ୍ରେସକୁ ନିଜର ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ସେପଟେ କଂଗ୍ରେସ ଗୃହରେ ସଂଖ୍ୟା ଗରିଷ୍ଠତା ଦାବି କରିଛି । ସରକାର ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ।

ସେପଟେ ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି କହିଛନ୍ତି ଏକ ସୁସ୍ଥ ସରକାରକୁ ଅସ୍ଥିର କରିବାକୁ କଂଗ୍ରେସର ଏହା ଏକ ଚକ୍ରାନ୍ତ । ମଙ୍ଗଳବାର ୩ ସ୍ବାଧୀନ ବିଧାୟକ ହରିଆଣା ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲେ । ସେମାନେ ହେଲେ ଦାଦ୍ରି ବିଧାୟକ ସୋମବିର ସଙ୍ଗୱାନ, ନିଲୋଖରି ବିଧାୟକ ଧରମପାଲ ଗୋନ୍ଧର ଏବଂ ପୁଣ୍ଡରି ବିଧାୟକ ରଣଧିର ଗୋଲନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡା ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଉଦୟଭାନଙ୍କ ସହ ରୋହତକରେ ଏକ ପ୍ରେସ୍ ମିଟ୍ କରି ଏହି ଘୋଷଣା କରିଥିଲେ ।

ଉଦୟଭାନ କହିଛନ୍ତି, ସାଇନି ସରକାର ଏବେ ସଂଖ୍ୟାଲଘୁରେ ପରିଣତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ୍ । ରାଜ୍ୟରେ ତୁରନ୍ତ ସାନି ବିଧାନସଭା ନିର୍ବାଚନ ହେବା ଦରକାର । କଂଗ୍ରେସ ପାଖରେ ବର୍ତ୍ତମାନ ୪୫ ବିଧାୟକଙ୍କ ସମର୍ଥନ ଥିବା ହୁଡା ଦାବି କରିଛନ୍ତି ।

ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୯୦। ସ୍ୱାଧୀନ ବିଧାୟକ ରଣଜିତ ଚୌଟାଲା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେବା ପରେ ଏହା ୮୮କୁ ଖସିଆସିଛି । ବହୁମତ ଲାଗି ୪୫ ବିଧାୟକଙ୍କ ସମର୍ଥନ ଦରକାର । ବିଜେପିର ଆସନ ସଂଖ୍ୟା ୪୦ ରହିଥିଲା ବେଳେ ଏହାକୁ ୨ ସ୍ୱାଧୀନ ବିଧାୟକ ଓ ଲୋକହିତ ପାର୍ଟିର ଜଣେ ବିଧାୟକ (ଗୋପାଳ କାଣ୍ଡା) ସମର୍ଥନ କରୁଛନ୍ତି । ଫଳରେ ବିଜେପି ପାଖରେ ବର୍ତ୍ତମାନ ୪୩ ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟପକ୍ଷରେ କଂଗ୍ରେସର ୩୦ ବିଧାୟକ ରହିଥିଲା ବେଳେ ଜେଜେପିର ୧୦ ଅଛନ୍ତି । ଆଇଏନଡିର ଜଣେ ଓ ଅନ୍ୟ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ଦଳକୁ ସମର୍ଥନ କରୁଛନ୍ତି । ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଫଳରେ କଂଗ୍ରେସ ନିକଟରେ ୪୫ ବିଧାୟକଙ୍କ ସମର୍ଥନ ରହିଥିବା ଦଳ ପକ୍ଷରୁ ଦାବି କରାଯାଇଛି ।