FeaturedLatestNews

୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ବର (ସଂକେତ ଟିଭି): ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ପ୍ରଦାନ କରିଛନ୍ତି ।

ଉମାଶଙ୍କର ଦାସ ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ କେରଳ ଛୁଇଁବ ମୌସୁମୀ ! ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।

ସେପଟେ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେଉଛି । କେବଳ ତାପମାତ୍ରା ନୁହେଁ, ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଏତେ ବଢ଼ିଯାଇଛି ଯେ, ଭୀଷଣ ଗୁଳୁଗୁଳି ଅଣନିଃଶ୍ୱାସୀ କରି ପକାଉଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨ ଦିନ ଭିତରେ ଅନେକ ସ୍ଥାନରେ ତାତି ଆହୁରି ୨-୩ ଡିଗ୍ରୀ ବଢିପାରେ । ଅନୁମାନ କରାଯାଉଛି, ୩୧ ତାରିଖ ପରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ ।

ସେପଟେ ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଅସହ୍ୟ ଖରା, ଗୁଳୁଗୁଳି ନେଇ ସତର୍କ କରାଇଛନ୍ତି । ସ୍ବାସ୍ଥ୍ୟ ସଚିବ ଏବଂ ସବୁ ଜିଲ୍ଲାପାଳଙ୍କୁ ଏସ୍ଆରସି ଚିଠି ଲେଖିଛନ୍ତି । ଅଂଶୁଘାତ ମୁକାବିଲା ଲାଗି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ସତର୍କତା ଜାରି କରାଯାଇଛି । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୨ରୁ ୩ଡିଗ୍ରୀ ବଢ଼ିବ ତାତି । ଖରା ପାଇଁ ସବୁ ଡାକ୍ତରଖାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । CHC/PHC, ଉପଖଣ୍ଡ ଏବଂ ଜିଲ୍ଲା ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।