EducationFeaturedLatestNews

୧୭ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର (ସଂକେତ ଟିଭି) ଆସନ୍ତା ୧୭ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବା ଆଗରୁ ସମସ୍ତ ପ୍ରସ୍ତୁତି ସରିବ। ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ ସ୍ବଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଏହାସହ ଦିନକ ପୂର୍ବରୁ ସମସ୍ତ ଶିକ୍ଷକ, କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଖରା ଛୁଟି ପରେ ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ ଥିବାବେଳେ ଏନେଇ ସମୀକ୍ଷା ସରିଛି। ସ୍କୁଲ ଖୋଲିବାର ସପ୍ତାହେ ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ କ୍ୟାମ୍ପସକୁ ସଫାସୁତୁରା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପାଣି ଟାଙ୍କି ସଫା କରିବା, ଶ୍ରେଣୀଗୃହର ଆସବାବପତ୍ର ସଫା କରି ଠିକ୍‌ ଭାବେ ସଜାଇବା ଓ ଶୌଚାଳୟକୁ ବ୍ୟବହାର ଉପଯୋଗୀ କରିବାକୁ କହିଛନ୍ତି। ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର, ଗ୍ୟାସ୍‌ ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି କରିବା, ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ସହ ଇଣ୍ଟରନେଟ୍‌ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲା ଶିକ୍ଷାଧିକରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।